
ସଂସଦ କର୍ମଚାରୀଙ୍କ ପାଇଁ ଲଞ୍ଚ ହୋଇଛି ନୂଆ ୟୁନିଫର୍ମ । ହେଲେ ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଲାଣି । କଂଗ୍ରେସ ସାଂସଦ ମଣିକମ୍ ଟାଗୋର ନୂଆ ୟୁନିଫର୍ମରେ ପଦ୍ମ ଫୁଲ ଛପା ଯିବା ଖବରକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଟାଗୋର କହିଛନ୍ତି ବିଜେପି ସଂସଦକୁ ଏକପାଖିଆ ମଞ୍ଚର ଭାବନା ସୃଷ୍ଟି କରିବାକୁ ଚାହୁଛି । ସେଥିପାଇଁ ପଦ୍ମଫୁଲ ଥିବା ପୋଷାକ ସ୍ଥିର କରାଯାଇଛି l
ସୂଚନା ଅନୁସାରେ ସଂସଦର କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଲାଗୁ ହେବାର ଅଛି । ଯାହା ଉପରେ ପଦ୍ମ ଫୁଲ ଅଙ୍କିତ ହୋଇଛି । ଏହାକୁ ନେଇ କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି ‘’ସଂସଦର କର୍ମଚାରୀଙ୍କ ପୋଷାକରେ ଭାଜପା ନିର୍ବାଚନୀ ଚିହ୍ନ ରହିଛି । ସେମାନେ ଜି ୨୦ରେ ମଧ୍ୟ ଏଭଳି କରିଥିଲେ । ଏବେ ଏମାନେ ପୁଣି ଏଭଳି କରୁଛନ୍ତି ଏବଂ କହୁଛନ୍ତି ଯେ ଏହା ଜାତୀୟ ଫୁଲ।‘’ ଟାଗୋର କହିଛନ୍ତି, ଜାତୀୟ ପଶୁ ବାଘ ଏବଂ ଜାତୀୟ ପଶୁ ମୟୂର ବଦଳରେ ‘ପଦ୍ମ’ କାହିଁକି ନିଆଯାଇଛି ? ବାଘ କିମ୍ବା ମୟୂର କାହିଁକି ନୁହେଁ ? ତେଣୁ ଟାଗୋର ଏହାକୁ ଠିକ୍ ନୁହେଁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ‘’ ଆଶା ରହିଛି ଭାଜପା ଏହି ସବୁଠାରୁ ଉପରକୁ ଉଠିବ ଏବଂ ସଂସଦକୁ ଏକପାଖିଆ ମଞ୍ଚ କରିବନାହିଁ । ଏହା ଦୁର୍ଭାଗ୍ୟପୂର୍ଣ୍ଣ। ସଂସଦ ସବୁ ପାର୍ଟୀଙ୍କଠାରୁ ଉପରେ । ଏଥିରୁ ଜଣାପଡ଼ୁଛି ଯେ ବିଜେପି ସବୁ ଦ୍ଵିତୀୟ ସଂସ୍ଥାରେ ହସ୍ତକ୍ଷେପ କରୁଛି। ‘’

ଟାଗୋରଙ୍କ ବ୍ୟତୀତ ଏନସିପି ନେତା ମଧ୍ୟ ଏହାକୁ ବିରୋଧ କରିଛନ୍ତି l ଏନସିପି ନେତା କ୍ଲାଇଡ କ୍ରେଷ୍ଟୋ ମଧ୍ୟ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ‘ସଂସଦ କର୍ମଚାରୀଙ୍କ ୟୁନିଫର୍ମ ଉପରେ ପଦ୍ମ ଚିହ୍ନ ଛାପି ଭାଜପା ଲୋକତନ୍ତ୍ରର ମନ୍ଦିରକୁ ରାଜନୀତିକ କ୍ଷେତ୍ରର କରିବାକୁ ଚାହୁଛି । ବିଜେପି ନିଜ ପ୍ରଚାର ପାଇଁ ସଂସଦର ଦୁରୂପଯୋଗ କରୁଛି।’

ସୂଚନା ଅନୁସାରେ , ୫ ଦିନିଆ ସ୍ଵତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ କର୍ମଚାରୀଙ୍କ ପାଇଁ ନୂଆ ପୋଷାକ ଲଞ୍ଚ କରିଛନ୍ତି । ପୁରୁଷ କର୍ମଚାରୀଙ୍କ ପାଇଁ କୁର୍ତ୍ତା ଓ ପାଇଜାମା ହୋଇଥିବା ବେଳେ ମହିଳା କର୍ମଚାରୀ ପିନ୍ଧେବେ ନୂଆ ଡିଜାଇନ୍ ଶାଢୀ । ସଂସଦ ସଚିବାଳୟ କର୍ମଚାରୀ ସୁଟ୍ ବଦଳରେ ଗୋଲାପୀ ରଙ୍ଗର ନେହରୁ ଜ୍ୟାକେଟ୍ ପିନ୍ଧିବେ । ଏହି ଜ୍ୟାକେଟ୍ ଉପରେ ପଦ୍ମଫୁଲ ରହିବ ଏବଂ ଖାକିର ରଙ୍ଗର ପ୍ୟାଣ୍ଟ ମଧ୍ୟ ହେବ । ଉଭୟ ଗୃହର ମାର୍ଶଲ ଡ୍ରେସ୍ ବଦଳିଯିବ । ସେମାନେ ମଣିପୁରୀ ପଗଡି ପିନ୍ଧିବେ । ଏହାଛଡ଼ା ସଂସଦ ଭବନର ସୁରକ୍ଷା କର୍ମଚାରୀଙ୍କ ବସ୍ତ୍ର ମଧ୍ୟ ବଦଳିବ । ସୁରକ୍ଷାକର୍ମଚାରୀ ଏବେ ସଫାରୀ ସୁଟ୍ ପିନ୍ଧି ଆସିବେ । କିନ୍ତୁ ଏସବୁ ଭିତରେ ଏବେ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିବା ସହ ଏହାକୁ ନେଇ ରାଜନୀତି ଏବେ ସରଗରମ ହେବାରେ ଲାଗିଛି l