
ନୂଆଦିଲ୍ଲୀ: ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ମୁଜାଫରବାଦରେ ଏମରଜେନ୍ସି ଆଲର୍ଟ ଜାରି କରିଛି ପାକିସ୍ତାନ । ତେବେ ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଇଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି । ପାକିସ୍ତାନର ୬କୋଟି ବୋର୍ଡରରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କିଛି ଗାଁ ପୂରା ପାଣି ଘେରରେ ରହିଛି ।
ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରଖିଛନ୍ତି ପାକିସ୍ତାନ ସରକାର । ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି । ଅନ୍ୟପଟେ ଝେଲମ ନଦୀରେ ପାଣି ଛାଡିଦେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ ଏକାଧିକ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୀମାନ୍ତରେ ଉଭୟପକ୍ଷରୁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାବେଳେ ଆସନ୍ନ ଯୁଦ୍ଧକୁ ନେଇ ସୀମାନ୍ତବାସୀ ଆଶଙ୍କାରେ ରହିଛନ୍ତି। ସେନାପକ୍ଷରୁ ବଙ୍କର ସଫା କରାଯାଉଥିବାବେଳେ ସୀମାନ୍ତରେ ଥିବା ଉଭୟପକ୍ଷର ଚାଷୀ ଫସଲ କଟାକୁ ଜୋର୍ଦାର କରିଥିବା ଦେଖାଯାଇଛି।
ଅନ୍ୟପକ୍ଷରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣାକୁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଠୋର ନିନ୍ଦା କରାଯାଇଛି। ଆତଙ୍କବାଦୀ ଓ ଏହାକୁ ପୃଷ୍ଠପୋଷକତା ଦେଉଥିବା ସଂଗଠନ, ସଂସ୍ଥା ଓ ରାଷ୍ଟ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାଲାଗି ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମୃତକଙ୍କ ପ୍ରତି ଗଭୀର ସମ୍ବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛି ସୁରକ୍ଷା ପରିଷଦ। ଏନେଇ ୧୫ଟି ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଦସ୍ତଖତ ସମ୍ବଳିତ ଏକ ଚିଠା ପ୍ରସ୍ତାବ ଆଲୋଚନା ପରେ ଗୃହୀତ ହୋଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ଯୁଦ୍ଧସ୍ଥିତି ଆଶଙ୍କାନେଇ ଏହାକୁ ଏଡାଇବାକୁ ଇରାନ ପ୍ରସ୍ତାବ ଦେଇଛି।
ଉଭୟପକ୍ଷଙ୍କ ପାଇଁ ଇରାନ ମଧ୍ୟସ୍ଥତା କରିବ ବୋଲି କହିଛି। ଏଣେ ଭାରତର ସିନ୍ଧୁ ନଦୀଜଳ ଚୁକ୍ତି ରବ୍ଦକୁ ନେଇ ପାକିସ୍ତାନ ବିଳିବିଳେଇବା ଆରମ୍ଭ କରିଛି। ଏହା ଭାରତର ପାକିସ୍ତାନ ବିରୋଧରେ ସିଧାସଳଖ ଯୁଦ୍ଧ ଘୋଷଣା ବୋଲି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି। ଏହାକୁ ନେଇ ପାକିସ୍ତାନର ଏକାଧିକ ନେତା ଓ ମନ୍ତ୍ରୀ ପାଣି ନଦେଲେ ସିନ୍ଧୁରେ ରକ୍ତର ବହିବ ବୋଲି ଚେତାବନୀ ଦେଇଛନ୍ତି। ମାତ୍ର ଭାରତ ସିନ୍ଧୁ ନଦୀଜଳ ବନ୍ଦ କରିବା ପାଇଁ ଗତକାଲିଠାରୁ ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିଲେ ସୁଦ୍ଧା ଭାରତ ସରକାର ନିଜ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସଙ୍କଳ୍ପବଦ୍ଧ ଥିବା ଜଣାପଡିଛି।