
ନୂଆଦିଲ୍ଲୀ: ସଧବା ମଥାର ସିନ୍ଦୂର ପୋଛିଥିଲେ ଆତଙ୍କୀ। ଆଉ ଆଜି ସିନ୍ଦୂରର ବଦଲା ନେଲା ଅପରେସନ ‘ସିନ୍ଦୂର’ । ପହଲଗାମ ଆତଙ୍କବାଦୀଙ୍କ ନରସଂହାରର ବଦଲା ନେଇଛି ଭାରତୀୟ ସେନାର ଅପରେସନ ସିନ୍ଦୂର। ପହଲଗାମ ଆକ୍ରମଣର ୧୫ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ଗତ ୨ ଦିନ ଧରି ମକ୍ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାତି ଅଧିଆ କରିଛି ଅପରେସନ୍ । ଆତଙ୍କବାଦ ବିରୋଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି ଭାରତ। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେରେ ବଡ଼ଧରଣର ଆକ୍ରମଣ କରିଛି।
ବୁଧବାର ରାତି ୧ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରମୁଖ ୯ଟି ଆତଙ୍କବାଦୀ କେନ୍ଦ୍ର ଧ୍ବଂସ କରିଦେଇଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ପାକିସ୍ତାନର କୌଣସି ସାମରିକ ଠିକଣାରେ ଆକ୍ରମଣ କରାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏହା ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକର ସ୍ମୃତିକୁ ତାଜା କରିଛି । ସେତେବେଳେ ମଧ୍ୟ ଭାରତ ଆତଙ୍କବାଦ ବିରୁଦ୍ଧରେ ସମାନ ଭାବେ ଅଚାନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥର ଭାରତ ପାକିସ୍ତାନର ୪ଟି ସ୍ଥାନ ଏବଂ ପିଓକେର ୫ଟି ସ୍ଥାନକୁ ଟାର୍ଗେଟ କରିଛି । ଏଥିରେ ପିଓକେର ଚାରୋଟି ସ୍ଥାନ ଅନ୍ତର୍ଭୁକ୍ତ, ଯାହା ଆତଙ୍କବାଦୀଙ୍କ ଭାରତରେ ପ୍ରବେଶ ପାଇଁ ମୁଖ୍ୟ ପ୍ରବେଶ ପଥ ।
୨୨ ଏପ୍ରିଲ୍, ୨୦୨୫ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର କଡା ଜବାବ ଥିଲା, ଯେଉଁଥିରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ । ଏହି ଆକ୍ରମଣରେ କେବଳ ପୁରୁଷ ମାନଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁଥିପାଇଁ ଅନେକ ବିବାହିତ ମହିଳା ନିଜ ସିନ୍ଦୁର ହରାଇଥିଲେ ଯାହାକୁ ରକ୍ଷା କରିବା ପାଇଁ ଏହାକୁ ଅପରେସନ ସିନ୍ଦୁର ନାମ ଦିଆଯାଇଥିଲା । “ସିନ୍ଦୁର” ନାମ ଆକ୍ରମଣର ସାଂସ୍କୃତିକ ଏବଂ ଭାବପ୍ରବଣ ପ୍ରତିଧ୍ୱନିତ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ବିଶେଷକରି ପୀଡିତମାନଙ୍କ ମଧ୍ୟରୁ କିଛି ନବବିବାହିତ ଦମ୍ପତିଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥିଲା । ଆତଙ୍କବାଦୀମାନେ ଯେଉଁଭଳି ଭାବରେ ସାଧାରଣ ମହିଳାଙ୍କ ସୁହାଗକୁ ଧ୍ୱଂସ କଲେ ତାହାର ବଦଲା ନେଇଛି ଭାରତ । ଏହା ଏକ ପ୍ରତୀକାତ୍ମକ ପ୍ରତିଶୋଧ ଏବଂ ଚେତାବନୀ ମଧ୍ୟ । ଏକ ଶକ୍ତିଶାଳୀ ସାଂସ୍କୃତିକ ଏବଂ ଭାବପ୍ରବଣ ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ “ଅପରେସନ୍ ସିନ୍ଦୂର” ନାମ ବଛାଯାଇଥିଲା । ଯାହା କେବଳ ଶତ୍ରୁ ପାଇଁ ଏକ ଚେତାବନୀ ନୁହେଁ ବରଂ ଭାରତୀୟ ମହିଳାଙ୍କ ବୀରତ୍ୱ, ତ୍ୟାଗ ଓ ଯନ୍ତ୍ରଣାର ପ୍ରତୀକ।
ସବୁଠୁ ବଡ କଥା ହେଲା ଅପରେସନ ସିନ୍ଦୂର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଆଯାଇଥିବା ନେଇ ସୂଚନା ମିଳୁଛି । ପହଲାଗାମରେ ଆକ୍ରମଣ ପରେ ଦିନ ରାତି ଏନେଇ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଘନଘନ ବୈଠକ କରି ଚିନ୍ତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ଗତ ୧୬ ଏପ୍ରିଲରେ ବିବାହ କରିଥିବା ଗୁରୁଗ୍ରାମର ହିମାଂଶୀ ନରୱାଲ ତାଙ୍କ ସ୍ୱାମୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ସହ ହନିମୁନରେ ଯାଇଥିଲେ। ଆତଙ୍କବାଦୀମାନେ ଧର୍ମ ପଚାରି ବିନୟଙ୍କୁ ଗୁଳି କରିଥିଲେ। ହିମାଂଶୀ କହିଥିଲେ, “ମୁଁ ମଥାରେ ସିନ୍ଦୂର ଭରି ଘରେ ବିଦା ହୋଇଥିଲି । କିନ୍ତୁ ମୋଠାରୁ ସବୁକିଛି ଛଡ଼ାଇ ନିଆଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ଅଞ୍ଜଳିଙ୍କ ସ୍ୱାମୀ ବିବେକ ଠାକୁର ଓ ସ୍ନେହାଙ୍କ ସ୍ୱାମୀ ଅମିତ ପାଟିଲ ମଧ୍ୟ ସହିଦ ହୋଇଥିଲେ। ସ୍ନେହାର କରୁଣ ଚିତ୍କାର ଥିଲା, “ଆତଙ୍କବାଦୀମାନେ ଆମଠାରୁ ସବୁକିଛି ଛଡ଼ାଇ ନେଇଗଲେ।”