Site icon UTKAL PRATIDIN

ଆଉ ଆନନ୍ଦ ବଜାରରେ ନୁହଁ, ଏଣିକି ଏଠାରେ ଅବଢା ଖାଇବେ ଶ୍ରଦ୍ଧାଳୁ

Capture

ପୁରୀ: ଏଣିକି ଆଉ ଆନନ୍ଦ ବଜାରରେ ଅବଢା ଖାଇପାରିବେନି ଶ୍ରଦ୍ଧାଳୁ । ଉତ୍ତର ଦ୍ବାର ବାହାରେ ଶ୍ରଦ୍ଧାଳୁଙ୍କ ପାଇଁ ଅବଢା ଖାଇବାକୁ ଖୋଲାଯିବ ଅନ୍ନକ୍ଷେତ୍ର । ଆଜି ଶ୍ରୀମନ୍ଦିର ଅନୁଧ୍ୟାନ ପରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ । ଭକ୍ତଙ୍କ ସଂଖ୍ୟା ବଢ଼ିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇପାରୁନି । ତେଣୁ ଉତ୍ତର ଦ୍ବାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ଗଜପତି ।

ଗଜପତି ଆହୁରି କହିଛନ୍ତି ଯେ, ଅନ୍ନକ୍ଷେତ୍ରରେ ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ-। କିନ୍ତୁ ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ । ସରକାରଙ୍କ ସହ ଆଲୋଚନା କରି ଆଗକୁ ନେବାକୁ ନିବେଦନ କରିବୁ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶ୍ରୀମନ୍ଦିର ସ୍ଥାୟୀ କାର୍ଯ୍ୟାଳୟ ହେବ, ପୂର୍ବଟିକୁ ଅଭ୍ୟର୍ଥନା କକ୍ଷ କରାଯିବ ବୋଲି କହିଛନ୍ତି ଗଜପତି ।

ଆଜି ସକାଳୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ସେ ଅନୁଧ୍ୟାନ କରିଛନ୍ତି। ଗଜପତି ମହାରାଜ ଗୁଣ୍ଡିଚା ମନ୍ଦିର ମଧ୍ୟ ବୁଲି ଦେଖିଛନ୍ତି। ଏହା ସହ ଅଧାପନ୍ତରିଆ ପ୍ରକଳ୍ପ, ମଠଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି।

Exit mobile version