ନୂଆଦିଲ୍ଲୀ: ନଦୀ କୂଳିଆବାସୀଙ୍କୁ କ୍ୟାନସର ଭୟ । ନଦୀ, ନାଳ ପାଖରେ ରହୁଥିବା ଲୋକଙ୍କୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ । ଏନେଇ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଆଇସିଏମ୍ଆର ପକ୍ଷରୁ ଏକ ସାଂଘାତିକ ରିପୋର୍ଟ ପ୍ରକାଶ ପାଇଛି । ଆଇସିଏମ୍ଆର ରିପୋର୍ଟକୁ ରାଜ୍ୟସଭାରେ ଉପସ୍ଥାପନ କରି ଚିନ୍ତା ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ । ରିସର୍ଚ୍ଚରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ନଦୀ, ନାଳ ପାଣିରେ ଅନେକ ଲିଡ୍, ଆଇରନ୍ ଏବଂ ଆଲୁମିନିୟମ୍ର ମାତ୍ରାଧିକ କଣିକା ଥିବା ଜଣାପଡିଛି ।
ଅଧ୍ୟୟନରୁ ଜଣାପଡିଛି ଯେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ସୀସା, ଲୁହା ଏବଂ ଆଲୁମିନିୟମ ଏହି ଜାଗା ମାନଙ୍କରେ ରହିଛି। ତେବେ ଆଇସିଏମଆର ଏନେଇ ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କୁ ଲିଖିତ ଭାବରେ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସରକାର କର୍କଟ ଚିକିତ୍ସା ପାଇଁ ଉନ୍ନତ ଧରଣର ସୁବିଧା ଯୋଗାଇବା ପାଇଁ ସବୁ ସମୟରେ ଚେଷ୍ଟା କରୁଛନ୍ତି। ଏଥିପାଇଁ ଟର୍ସିଅରି କେୟାର କ୍ଯାନ୍ସର ଫ୍ୟାସିଲିଟିଜ ସ୍କିମକୁ ସୁଦୃଢ଼ କରିବା ଉପରେ ପ୍ରୟାସ ଚାଲିଛି। ଏହି ଯୋଜନା ଅଧୀନରେ ୧୯ଟି ଷ୍ଟେଟ୍ କ୍ଯାନ୍ସର ଇନ୍ସିଟିଚ୍ୟୁଟ ଏବଂ ୨୦ଟି ଟର୍ସିୟରି କେୟାର କ୍ୟାନ୍ସର କେନ୍ଦ୍ରକୁ ଅନୁମୋଦନ କରାଯାଇଛି। ତେବେ ହରିୟାଣାର ଝଜ୍ଜରରେ ଏବଂ କୋଲକାତାର ଚିତ୍ତରଞ୍ଜନ ଠାରେ ଜାତୀୟ କର୍କଟ ପ୍ରତିଷ୍ଠାନରେ ଏହାର ଦ୍ୱିତୀୟ କ୍ୟାମ୍ପସ ମଧ୍ୟ ପ୍ରତିଷ୍ଠିତ ହୋଇସାରିଛି।ଏଠାରେ କ୍ଯାନ୍ସର ରୋଗକୁ ଚିହ୍ନଟ କରିବା ସହ ଚିକିତ୍ସା ପାଇଁ ମଧ୍ଯ ସମସ୍ତ ଆଧୁନିକ ସୁବିଧା ଉପଲବ୍ଧ ରହିବ। ତେବେ ୨୨ଟି ନୂତନ ଭାବରେ ଗଢାଯାଇଥିବା ଏମ୍ସରେ କର୍କଟ ରୋଗର ଚିକିତ୍ସା ପାଇଁ ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।
ବର୍ତ୍ତମାନ ଭାରତରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ରହିବା ପାଇଁ ଜାଗା ସହ ଜମିର ମଧ୍ଯ ଅଭାବ ରହିଛି। ତେଣୁ ଲୋକମାନେ ପ୍ରାୟତଃ ନଦୀ ଓ ନାଳ ପାଖରେ ଥିବା ଜମିରେ ଘର ତିଆରି କରି ରହୁଛନ୍ତି। ତେବେ ରାଜଧାନୀ ଦିଲ୍ଲୀ ସମେତ ଭାରତର ଅନେକ ବଡ଼ ଓ ଛୋଟ ସହରରେ ଲୋକମାନେ ଏହିପରି ଜାଗାରେ ଘର କରି ରହୁଛନ୍ତି। କଳକାରଖାନାର ଆବର୍ଜନା, ପ୍ଲାଷ୍ଟିକ୍ ଆବର୍ଜନା ଆଦି ନଦୀ, ନାଳ ପାଣିକୁ ଦୂଷିତ କରୁଛି । ଏବେ ଭାରତର ଅଧିକାଂଶ ନଦୀ, ନାଳରେ ପ୍ରଦୂଷଣ ପାଣି ମିଳୁଛି । ଯାହା ଚିନ୍ତା ଜନକ ବୋଲି ଆଇସିଏମଆର ରିପୋର୍ଟରେ କୁହାଯାଇଛି ।