
ଭୁବନେଶ୍ଵର: ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ। ଆଜୀବନ ସଜା ସହ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି କୋର୍ଟ। ଦୀର୍ଘ ୭ ବର୍ଷ ପରେ ରାୟ ପ୍ରକାଶ ପାଇବା ସହ ଦୋଷୀକୁ ଦଣ୍ଡାଦେଶ ହୋଇଛି।
କହିରଖୁଛୁ ଯେ, ଦୀର୍ଘ ୭ ବର୍ଷ ପରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ । ଆଜି ସକାଳ ସମୟରେ ପୁଞ୍ଜିଲାଲଙ୍କୁ ବାଲାଙ୍ଗୀର କାରାଗାରୁ ପାଟଣା ଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ କୋର୍ଟ । ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ 50 ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିବା ଅଭିଯୋଗ ହୋଇଥିଲା । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୮ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍ ଉପହାର ଭାବେ ପାର୍ସଲ ବୋମା ପଠାଇଥିଲେ । ୨୩ ତାରିଖ ଦିନ ପାର୍ସଲ୍ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ଘଟିଥିଲା ।
ନବବିବାହିତା ପତ୍ନୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ । ତେବେ ଘଟଣାର କୌଣସି ଚାକ୍ଷୁସ ପ୍ରମାଣ ନଥିଲେ ବି ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୪ ତାରିଖରେ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବାପରେ ପୁଞ୍ଜିଲାଲ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ଛଅ ବର୍ଷରୁ ଅଧିକ କାଳ ହେଲା ଜେଲରେ ଥିଲା। ଆଜି ମାମଲାର ଚୁଡାନ୍ତ ରାୟ ଆସିବା ପରେ ପୁଞ୍ଜିଲାଲ୍କୁ ଆଜୀବନ କାରାଦଣ୍ଡ ହୋଇଛି ।