
ସମ୍ବଲପୁର: ଟର୍ଚ୍ଚ ଲାଇଟରେ କେମୋ ଥେରାପି । ବୁର୍ଲା ଭୀମସାରରେ ଚାଲିଛି ଅନ୍ଧାରୀ ଚିକିତ୍ସା । ବିନା ସୂଚନାରେ କର୍କଟ ୱାର୍ଡରୁ କାଟିଦେଲେ ଲାଇନ୍ । ଟର୍ଚ୍ଚ ଲାଇଟରେ ହେଲା କର୍କଟ ରୋଗୀଙ୍କ ଚିକିତ୍ସା । ସାମ୍ନାକୁ ଆସିଲା ବୁର୍ଲା ଭୀମସାରରେ ସ୍ଵାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଉଥିବାର ଭିଡିଓ ଭାଇରାଲ ।
ବୁର୍ଲା ଭୀମ୍ସାରରେ ସାଂଘାତିକ ବିଦ୍ୟୁତ୍ ବିଭ୍ରାଟ ଖବର ସାମ୍ନାକୁ ଆସିଛି । ବିନା ସୂଚନାରେ କ୍ୟାନ୍ସର ୱାର୍ଡରେ ଲାଇନ୍ କାଟିଥିଲା ବିଦ୍ୟୁତ ବିଭାଗ । ଲାଇନ୍ କଟିଯିବା ପରେ ୩ ଘଣ୍ଟା ଅନ୍ଧାରରେ ରହିଥିଲେ କ୍ୟାନ୍ସର ରୋଗୀ । ଜରୁରୀ ପରିସ୍ଥିତିରେ ବାଧ୍ୟ ହୋଇ କିଛି ରୋଗୀଙ୍କୁ ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଇଥିଲା । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ କ୍ୟାନ୍ସର ବିଭାଗ ଏପରି ଅନ୍ଧାରରେ ରହିଥିଲା। ଫଳରେ ହନ୍ତସନ୍ତ ହୋଇଥିଲେ ରୋଗୀ । ଅନ୍ୟପଟେ ହସ୍ପିଟାଲରେ ବିନା ସୂଚନାରେ କାହିଁକି ବିଦ୍ୟୁତ କାଟ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନ୍ୟପଟେ ଜେନେରେଟର୍ ଥାଇ ବି ଲଗାଇନଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସେପଟେ କିନ୍ତୁ ଏହି ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ । ସେ କହିଛନ୍ତି ଗତ ୧୧ରେ ମରାମତି କାମ ପାଇଁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ହେଲେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୀମସାର ଅଧୀକ୍ଷକ କହିଛନ୍ତି।