Site icon UTKAL PRATIDIN

ଭାରତର କଠୋର ନିଷ୍ପତ୍ତିରେ ଥରହର ପାକିସ୍ତାନ, ଶୁଖିଯିବ ଜୀବନ ନାଡି, ଭୋଗିବ ଏହି ଯନ୍ତ୍ରଣା

wb 2

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସେନା ଏପରିକି ସାଧାରଣ ଲୋକଙ୍କୁ ମଧ୍ୟ ଥରାଇଦେଇଛି ପହଲଗାମ୍ ଆତଙ୍କୀ ଘଟଣା । ଜନ ଶୁନ୍ୟ ହୋଇପଡିଛି ଏବେ କାଶ୍ମୀର । ଆତଙ୍କିଙ୍କ ବର୍ବର କାଣ୍ଡକୁ ଦେଖି କାନ୍ଦୁଛି କଶ୍ମିର କାନ୍ଦୁଛି ଭାରତ । ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ୍ ବୈଠକରେ ପାଞ୍ଚଟି ବଡ଼ ନିଷ୍ପତ୍ତି ନେଇଛି ଭାରତ । ଆଉ ଭାରତର ଏହି ୫ଟି ନିଷ୍ପତ୍ତି ଏବେ ପାକିସ୍ତାନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର। ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବ୍ୟନ୍ କରିବା ସହ ଭିଜାକୁ ମଧ୍ୟ ବନ୍ଦ କରିଥିଲେ। ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଆଉ ଆଜି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଅର୍ଥାତ୍ ପାକିସ୍ତାନ ସୋସିଆଲ ମିଡିଆକୁ ଭାରତରେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଆଜି ପରଠାରୁ ପାକିସ୍ତାନ ସୋସିଆଲ ମିଡିଆରେ ଭାରତରେ ଚାଲିବ ନାହିଁ। ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍। ପହଲଗାମ୍ ହମଲା ପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ଭାରତରେ ପାକ୍ ସରକାରଙ୍କ ‘x’ ଆକାଉଣ୍ଟ ମଧ୍ୟ ବନ୍ଦ। IT ମନ୍ତ୍ରାଳୟ ନେଲା ପାକିସ୍ତାନ ବିରୋଧରେ ପଦକ୍ଷେପ। ଏନେଇ ‘x’ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ IT ମନ୍ତ୍ରାଳୟ। ଆଉ ଆଇଟି ମନ୍ତ୍ରାଳୟର ଅନୁରୋଧ ମଧ୍ୟ ରଖିଲା ‘x’ । ଭାରତରେ ପାକିସ୍ତାନର ସରକାରୀ ‘x’ ହ୍ୟାଣ୍ଡେଲ୍ ବ୍ଲକ୍।

ତେବେ ଭାରତ ପକ୍ଷରୁ ନିଆଯାଇଥିବା ଏହି କଠୋର ନିଷ୍ପତ୍ତି ପାଇଁ ଅନେକ ସମସ୍ୟାରେ ପଡିପାରେ ପାକିସ୍ତାନ । ଗତକାଲିର ନିଷ୍ପତ୍ତି ଅନୁସାରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଅଟାରୀ ସୀମା ଚେକ୍ ପୋଷ୍ଟ ବନ୍ଦ ରହିବ। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସୀମିତ ଗତିବିଧି ମଧ୍ୟ ବନ୍ଦ ହେବାକୁ ଯାଉଛି। ଭାରତ ପାକିସ୍ତାନରେ ଥିବା ଏହାର ଦୂତାବାସ ବନ୍ଦ କରିବାକୁ ଯାଉଛି। ଏହା କୂଟନୈତିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିଦେଇଛି।  ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ କରିବା ନେଇ ବିଶ୍ୱସନୀୟ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ଚୁକ୍ତି ପୁନଃ କାର୍ଯ୍ୟକାରୀ ହେବନାହିଁ। ଏହା ପାକିସ୍ତାନ ଉପରେ ବଡ଼ ପ୍ରଭାବ ପକାଇବ। ଏହି ଜଳ ଚୁକ୍ତିନାମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ୬୨ ବର୍ଷ ପୂର୍ବେ ଅର୍ଥାତ୍ ୧୯୬୦ରେ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଯୋଗୁଁ ପାକିସ୍ତାନ ପ୍ରଚୁର ପାଣି ପାଉଛି, କିନ୍ତୁ ଏବେ ଏହାର ସମସ୍ୟା ବୃଦ୍ଧି ପାଇବ।

ସେହିପରି ଅଟ୍ଟାରୀ-ଓ୍ବାଘା ସୀମାସ୍ଥିତ ଇଣ୍ଟିଗ୍ରେଟେଡ୍‌ ଚେକ୍‌ପୋଷ୍ଟକୁ ତତ୍କାଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ବୈଧ ଦସ୍ତାବିଜ ବଳରେ ଯେଉଁ ପାକିସ୍ତାନୀମାନେ ଏହି ସୀମା ଦେଇ ଭାରତକୁ ଆସିଛନ୍ତି, ସେମାନେ ୨୦୨୫ ମେ’ ୧ ପର୍ଯ୍ୟନ୍ତ ଫେରିଯାଇପାରିବେ। ସାର୍କ ଭିଜା ଏକ୍‌ଜେମ୍ପଶନ୍‌ ସ୍କିମ୍‌ (ଏସ୍‌ଭିଇଏସ୍‌) ଭିଜା ବଳରେ କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଅତୀତରେ ପାକିସ୍ତାନୀଙ୍କୁ ଜାରି କରାଯାଇଥିବା ସମସ୍ତ ଏସ୍‌ଭିଇଏସ୍‌ ଭିଜାକୁ ରଦ୍ଦ କରାଯାଇଛି। ଏଭଳି ଭିଜାଧାରୀ ସମସ୍ତ ପାକିସ୍ତାନୀଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ି ଚାଲିଯିବାକୁ ପଡ଼ିବ। ସେହିପରି ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଉଚ୍ଚାୟୁକ୍ତରେ ଥିବା ପ୍ରତିରକ୍ଷା/ସାମରିକ, ନୌସେନା, ବାୟୁସେନା ପରାମର୍ଶଦାତାଙ୍କୁ ଅବାଞ୍ଛିତ ବ୍ୟକ୍ତି ରୂପେ ଘୋଷଣା କରାଯାଇଛି। ସେମାନଙ୍କୁ ସପ୍ତାହେ ଭିତରେ ଭାରତ ଛାଡ଼ିବାକୁ ପଡ଼ିବ। ଭାରତ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତରେ ଅବସ୍ଥାପିତ ନିଜ ପ୍ରତିରକ୍ଷା / ସାମରିକ, ନୌସେନା, ବାୟୁସେନା ପରାମର୍ଶଦାତାଙ୍କୁ ମଧ୍ୟ ପ୍ରତ୍ୟାହାର କରିନେବ। ଏହି ପଦବୀଗୁଡ଼ିକୁ ଉଚ୍ଛେଦ କରାଗଲା ବୋଲି ଧରାଯିବ। ସର୍ଭିସ୍‌ ଆଡ୍‌ଭାଇଜରଙ୍କ ୫ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରତ୍ୟାହାର କରାଯିବ। ବର୍ତ୍ତମାନ ଉଚ୍ଚାୟୁକ୍ତରେ ୫୫ କର୍ମଚାରୀ ଥିବାବେଳେ ଏହାକୁ ୩୦କୁ ଖସାଇ ଦିଆଯାଇଛି, ଯାହାକି ଆସନ୍ତା ୧ ତାରିଖରୁ ଲାଗୁ ହେବ।

ଅନ୍ୟପଟେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଲର୍ଟ ମୋଡରେ ଭାରତୀୟ ସେନା। ଆତଙ୍କବାଦୀଙ୍କୁ ନିପାତ କରିବାକୁ ପଣ କରିଛନ୍ତି ସେନା ଯବାନ । ଆଉ ଏଥିପାଇଁ ଚାଲିଛି କାଶ୍ମୀର ଘାଟିରେ ଅପରେସନ । କୁହାଯାଉଛି, ଦିଲ୍ଲୀରୁ ନିର୍ଦ୍ଦେଶ ମିଳିବା ମାତ୍ରେ ପାକିସ୍ତାନର ଭୌଗଳିକ ସ୍ଥିତିକୁ ବଦଳାଇବାକୁ ଅପେକ୍ଷା କରିଛନ୍ତି ସେନା ଯବାନ। ପିଓକେ ଓ ସୀମା ସେପାରି ପାକିସ୍ତାନରେ କେତୋଟି ଆତଙ୍କବାଦୀଙ୍କ ଆଡ୍ଡା ରହିଛି ତାହାର ହିସାବ ନିକାଶ କରି ସାରିଲାଣି ସେନା । 

Exit mobile version