ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ହମଲା ନେଇ କାଉଣ୍ଟଡାଉନ୍ ଆରମ୍ଭ । ପହଲଗାମ ଆତଙ୍କବାଦୀ ହମଲାର କଡ଼ା ଜବାବ ଦେବାକୁ ସେନାକୁ ପୂର୍ଣ୍ଣ କ୍ଷମତା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେପଟେ ଭାରତର ଏହି ବଡ଼ ଯୋଜନା ପରେ ପାକିସ୍ତାନର ନିଦ ହଜିଯାଇଛି । ଭୟରେ ଥରୁଛି ପାକିସ୍ତାନ । ଶୋଇପାରୁନାହାନ୍ତି ପାକିସ୍ତାନର ମନ୍ତ୍ରୀ । ବିଳମ୍ବିତ ରାତିରେ ପାକିସ୍ତାନ ସୂଚନା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ରାତି ପାଖାପାଖି ସାଢେ ୧ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ଏଥିରେ ସେ କହିଛନ୍ତି ଭାରତୀୟ ସେନା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ । ବିଶ୍ବସନୀୟ ଗୁଇନ୍ଦା ସୂତ୍ରରୁ ତାଙ୍କୁ ସୂଚନା ମିଳିଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ମୋଦୀ ସ୍ବାଧୀନତା ଦେବା ପରେ ପାକିସ୍ତାନରେ ଭୟ ବଢ଼ି ଯାଇଛି । ପହଲଗାମ ଆକ୍ରମଣରେ ପ୍ରତିଶୋଧ ପାଇଁ ବ୍ଲୁ ପିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର। ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ ରହିଛି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହା ସହ ଆକ୍ରମଣରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜାମ୍ମୁ-କାଶ୍ମୀରରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇଆଲର୍ଟରେ ରଖାଯାଇଛି । ଏହା ସହ ଅମରନାଥ ଯାତ୍ରା ଓ ଅନ୍ୟ ନାଗରିକଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଦେଖାନଯାଏ ସେ ଉପରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପହଲଗାମ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ଖୋଜାଯାଉଛି । ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି । ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।
ସେପଟେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ବଢିଲା ପାକିସ୍ତାନରେ ହଲଚଲ। ଏଲଓସିରେ ପାକିସ୍ତାନୀ ସେନା । ଉରି ସେକ୍ଟରରେ ପାକ୍ ସେନାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଗତ ୬ ଦିନ ହେଲା ସୀମାରେ ପାକ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଆସୁଛି । ରାତିରେ ପାକିସ୍ତାନ ପୋଷ୍ଟ ପକ୍ଷରୁ ଗୁଳିମାଡ କରାଯାଉଥିବା ବେଳେ ଭାରତ ପକ୍ଷରୁ କଡା ଯବାବ ମଧ୍ୟ ଦିଆଯାଉଛି । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ସୀମାରେ ସୈନ୍ୟ ମୁତୟନ କରୁଥିବା କୁହାଯାଉଛି ।

