ଭୁବନେଶ୍ଵର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ୨ୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲା ବ୍ରହ୍ମପୁର ବିବେକ ବିହାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି,ପୂର୍ବ ସରକାର କେବଳ ସ୍ଲୋଗାନରେ ଚାଲିଥିଲା। ୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା। ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଛି। ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସବୁଠୁ ବଡ଼ କଥା ହେଲା ନିନ୍ଦୁକମାନେ ଆମ ସଫଳତାକୁ ହଜମ କରିପାରୁ ନାହାନ୍ତି। ବିରୋଧୀଙ୍କୁ ଟିକେ ହଜମ କରିବା ଗୁଲି ଦେବା ଦରକାର ବୋଲି ବ୍ୟଙ୍ଗ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ପୂର୍ବ ସରକାର ଗରିବଙ୍କ ଦୁଃଖ ବୁଝି ପାରି ନ ଥିଲେ ଏଥିପାଇଁ ଆମ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା କରିଛନ୍ତି।
ଅନ୍ୟପଟେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି, ମାଆ ହେଉଛନ୍ତି ପରିବାର ଓ ସମାଜର ଶକ୍ତି। ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ମାଆ ମାନଙ୍କୁ ସଶକ୍ତ କରିବାକୁ କାମ କରି ପଞ୍ଚାୟତରେ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସରକାରୀ ଚାକିରିରେ ମଧ୍ୟ ସେ ସଂରକ୍ଷଣ ଲାଗୁକରିଥିଲେ। ହେଲେ ଦୁଃଖର କଥା ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଛନ୍ତି। ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହେଲାନି। ତାଙ୍କ ଆଦର୍ଶରେ ବିଜେଡି ସରକାର ମହିଳା ସଂରକ୍ଷଣ ବୃଦ୍ଧି କରିଥିଲା। ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ପାଇଁ ବିଜେଡି ଦାବି ରଖିଛି। ମିଶନ ଶକ୍ତି ମାଆ ମାନଙ୍କୁ ସଶକ୍ତ କରିଛି। ଡବଲ ଇଞ୍ଜିନ ସରକାର ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି।
ମାଆ ମାନଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରିଛନ୍ତି। ପ୍ରଚାର ପାଇଁ ଶହ ଶହ କୋଟି ଖର୍ଚ୍ଚ କରିଛନ୍ତି। ହେଲେ ମାଆ ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇଛନ୍ତି। ଏଥିରେ କ୍ଷୀର କିଣି ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆପଣ ମାନେ ବିଜେଡିର ପ୍ରତିନିଧି। ସମସ୍ତଙ୍କୁ ସଚେତନ କରନ୍ତୁ। ମାଆ ମାନଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟାକୁ ବିରୋଧ କରନ୍ତୁ ବୋଲି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।