
ଆଜିଠୁ ଦିଲ୍ଲୀରେ ୩ଦିନ ଧରି ଓଡିଶା ପର୍ବ ପାଳନ ହେବ ।ଜବାହାରଲାଲ ନେହରୁ ଷ୍ଟାଡିୟମରେ ଓଡ଼ିଆ ସମାଜ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ ମୋହିବ ସମ୍ବଲପୁରୀ, ଓଡ଼ିଶୀ ଓ ଛଉ ନୃତ୍ୟ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଚଳିତ ଓଡ଼ିଶା ପର୍ବକୁ କରିବ ଗରିମାମୟ। ସାହିତ୍ୟିକ ଓ କଳାକାରଙ୍କ ପ୍ରତିଭାର ପ୍ରଦର୍ଶନ ସହ ଜମିବ ଓଡ଼ିଆ ଖାଦ୍ୟର ଆସର। ୩ଦିନ ପର୍ଯ୍ୟନ୍ତ ଓଡ଼ିଆ କଳା,ସସ୍କୃତି, ଖାଦ୍ୟ ଓ ନୃତ୍ୟ ଗୀତର ଆସର ଜମିବ ଏହି ଷ୍ଟାଡିଅମ ପରିସରରେ।
ଚଳିତ ବର୍ଷର ଓଡ଼ିଶା ପର୍ବକୁ ସଫଳ କରିବା ପାଇଁ ଦିଲ୍ଲୀ ଓଡ଼ିଆ ସମାଜ ଦିନରାତି ଏକ କରିଦେଇଛି।ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ ହେବେ ଏହି ଓଡ଼ିଆ ପର୍ବରେ। ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶିତ କରାଯିବା ସହ ଓଡ଼ିଆ ଅସ୍ମିତାର ପ୍ରତିଫଳନ ବି ଦେଖିବାକୁ ମିଳିବ। ଏଥିସହ ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ, ହସ୍ତତନ୍ତ, କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ ଜବାହାରଲାଲା ନେହେରୁ ଷ୍ଟାଡିଅମ ପରିସରରେ।
ପାରମ୍ପରିକ ଓଡ଼ିଆ ଖାଦ୍ୟର ପସରା ବି ତିନି ଦିନ ବ୍ୟାପୀ ଲାଗିବ। ଏହି ବର୍ଣ୍ଣାଢ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହେବ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣ, ଯେଉଁଥିରେ ବିଶିଷ୍ଟ ଲେଖକ, ବିଶେଷଜ୍ଞ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ।