ଭୁବନେଶ୍ଵର: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡ ଫଟା ଖରାରେ ହନ୍ତସନ୍ତ ହେଲେଣି ଜନତା । ୫ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଆଗାମୀ ୨ଦିନ ଯାଏ ବଢିବ ତାପମାତ୍ରା। ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ତାତି ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଗତକାଲି ବୌଦ୍ଧ ଓ ବଲାଙ୍ଗିରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଥିବା ବେଳେ ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା। ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାତି ୩୮.୬ ଡିଗ୍ରୀ ରହିବା ସହ ସବୁଠୁ ତତଲା ପାଲଟିଛି। ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ତେବେ ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଏହା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି । ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଖରା ସହ ବଢିବ ଦିନ ତାପମାତ୍ରା।