ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହେବ କଂଗ୍ରେସର ସଂକଳ୍ପ ପଦଯାତ୍ରା । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ । ଏହାପରେ ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଏହି ସଂକଳ୍ପ ପଦଯାତ୍ରା ଯିବ । ତେବେ ସଫଳ ଓଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା କରି ଏହି ପଦଯାତ୍ରା ହେଉଥିବା ବେଳେ ଏଥିରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି, ପିସିସି ସଭାପତି ଭକ୍ତ ଦାସ ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପଦଯାତ୍ରା ବାହାରି ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବ। ପଦଯାତ୍ରାରେ ସମନ୍ବୟ ରକ୍ଷା ପାଇଁ ଗଠନ ହୋଇଛି ୧୭ ଜଣିଆ କମିଟି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୫ ବିଧାୟକ ଅଛନ୍ତି। ରମେଶ ଜେନା, ଦାଶରଥୀ ଗମାଙ୍ଗ, ସି ଏସ ରାଜନ ଏକ୍କା , କାଡ୍ରାକା ଆପାଲା ସ୍ୱାମୀ ଓ ଅଶୋକ କୁମାର ଦାସ ସଦସ୍ୟ ଅଛନ୍ତି। ବରିଷ୍ଠ ଓ ଯୁବ ନେତୃତଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି। ଏହି କମିଟିରେ ଅଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ପିସିସି ସଭାପତି ଦାୟିତ୍ୱ ନେବା ପରେ ଭକ୍ତ ଚରଣ ଦାସ ସଭାପତିଙ୍କ ଏହା ହେଉଛି ପ୍ରଥମ କମିଟି। ଏହି ପଦ ଯାତ୍ରାରେ ସବୁ ପାର୍ଟି ନେତା ଓ କ୍ୟାଡରଙ୍କୁ ଆହ୍ବାନ ଦେଇଛନ୍ତି ଭକ୍ତ ଚରଣ ଦାସ।

