 
        ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା ଖାତାଦେଖା । ସକାଳ ୯ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଖାତା ଦେଖା । ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର ୫୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଉଛି । ସେଥିପାଇଁ ୧୧,୮୦୦ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମୂଲ୍ୟାୟନରେ ନିୟୋଜିତ କରାଯାଇଛି । ଅନ୍ୟପଟେ ୫୫୦ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ସଂରକ୍ଷିତ ରଖାଯାଇଛି । ଆବଶ୍ୟକସ୍ଥଳେ ସେମାନେ ତତ୍କ୍ଷଣାତ୍ ଯୋଗଦେବାର ବ୍ୟବସ୍ଥା ହୋଇଛି । ତେବେ ୧୫ ଦିନ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ । ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ବାହାରକୁ ଯାଇପାରିବେନି ଶିକ୍ଷକ । ମୂଲ୍ୟାୟନ କେନ୍ଦ୍ର ଭିତରେ ରହିବାକୁ ବାଧ୍ୟ ନିୟୋଜିତ ଶିକ୍ଷକ । ସେହିପରି ମୂଲ୍ୟାୟନ କେନ୍ଦ୍ରକୁ ସବୁ ପ୍ରକାର ମୋବାଇଲ ବାରଣ କରାଯାଇଛି ।
ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି ବଳୟରେ ରଖାଯାଇଛି । ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ଏହାର ତତ୍ତ୍ୱାବଧାନ କରୁଛନ୍ତି । ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନିରୀକ୍ଷକ, ଦୁଇଜଣ ଉପ ନିରୀକ୍ଷକ, ଦୁଇଜଣ ଯାଞ୍ଚକାରୀ , ବୋର୍ଡ ପକ୍ଷରୁ ଜଣେ ଜଣେ କ୍ୟାମ୍ପ ଅଫିସରଙ୍କୁ ନିୟୋଜିତ କରାଯାଇଛି । ମୂଲ୍ୟାୟନ ପରେ ପ୍ରତିଦିନ ମାର୍କକୁ ସର୍ଭରରେ ଅପଲୋଡ କରାଯିବ । ଏଥିପାଇଁ ୩୦୦ ଡାଟା ଏଣ୍ଟ୍ରି ଅପରେଟର୍ ନିୟୋଜିତ ହୋଇଛନ୍ତି । ଆସନ୍ତା ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ।
କହିରଖୁଛୁ ଯେ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିଥିଲା । ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।
 
         
         
         
         
        