
ଭୁବନେଶ୍ଵର: ଆହୁରି କଲବଲ କରିବ ତାତି । ପଶ୍ଚିମ ଓଡ଼ିଶାରେ ଆଜି ପାରଦ ୪୦ ଟପିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଡହଡହ ଖରାରେ ଶିଝିବ ପୁରା ଓଡ଼ିଶା । ଆଗାମୀ ୪ରୁ ୫ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଏନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ସହ କିଛି ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଇଏମଡି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ସେଲସିୟସ କିମ୍ବା ତାଠୁ ଅଧିକ ରେକର୍ଡ ହୋଇଛି । ଏସବୁ ଜିଲ୍ଲାରେ ଆଗାମୀ ୪ରୁ ୫ ଦିନ ଭିତରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବାର ଆଶଙ୍କା ରହିଛି । ସେହିପରି ରାତି ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧିର ସମ୍ଭାବନା ରହିଛି ।
୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିପାରେ । ଗ୍ରୀଷ୍ମକାଳୀନ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଲୋକଙ୍କୁ ଖରା ସମୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ମାର୍ଚ୍ଚ ୧୫ରୁ ୧୮ ମଧ୍ୟରେ କାଳବୈଶାଖୀ ମେସୁମୀ ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଛୁଇଁବାର ସମ୍ଭାବନା ରହିଛି ।