ଭୁବନେଶ୍ଵର: ଆଜିଠୁ ବଜେଟ ଅଧିବେଶନ। ପ୍ରଥମ ଦିନରେ ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପତି । ସେପଟେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସନ୍ତା ୧୭ ତାରିଖରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଥର ଦୁଇଟି ପର୍ଯ୍ୟାୟରେ ହେବ ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ରହିଛି ମୋଟ ୨୮ଟି କାର୍ଯ୍ୟ ଦିବସ ।
ଏଥର ବଜେଟରେ ମୋହନ ସରକାର କ’ଣ ନୂଆ କାର୍ଯ୍ୟକ୍ରମ ଓ ଘୋଷଣା କରିବେ, ଏବେ ତାହା ଉପରେ ରହିଛି ସଭିଙ୍କ ନଜର । ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ପେପର୍ ଲେସ୍ କାର୍ଯ୍ୟ ଉପରେ ଫୋକସ୍ ରଖାଯାଇଛି । ସେପଟେ ବିଧାନସଭା ବଜେଟ୍ ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା। ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ ପୋଲିସ। ସେହିପରି ୭ଟି କ୍ୱିକ୍ ରିଆକ୍ସନ୍ ଟିମ୍ ମୁତୟନ ହୋଇଛନ୍ତି । ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱା୍ଡ ଓ ରୁଫ୍ ଟପ୍ ସିକୁରିଟି ମୁତୟନ ରହିଛନ୍ତି । ସେହିପରି ଲୋୟର ପିମଜିରେ ୧୪୪ ଧାରା ଜାରି କରାଯାଇଛି । ସିସଟିଭି ଜରିଆରେ ନଜର ରଖାଯାଇଛି ।
ସେହିପରି ବିଧାନସଭା ଚାଲୁଥିବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି, ବିଧାନସଭା ସଲଗ୍ନ ରାସ୍ତାମାନଙ୍କରେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦ର ଧାରା ୨୮ ଏବଂ ପୋଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ଓ ରେଗୁଲେସନ ୨୦୦୮ ଧାରା ୩୬ ଅନୁସାରେ ବିଭିନ୍ନ କଟକଣାମାନ ଲାଗୁ କରାଯାଇଛି । ଏହାସହ ୧୬୩ ବିଏନଏସଏସ (BNSS) ଅନୁଯାୟୀ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡିକରେ ନିଷେଧାଞ୍ଚଳ ଲାଗୁ କରାଯାଇଛି ।