ଭୁବନେଶ୍ଵର: ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟର ମଧ୍ୟ ନିର୍ମାଣ କରାଯାଇଛି। ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ଏଥିସହିତ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ଏଥିସହିତ ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ଏକ କୁଇଜ୍ ମଧ୍ୟ ରଖାଯାଇଛି।
ଏହି କୁଇଜ୍ରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି। ସମସ୍ତ ପ୍ରତିଭାଗୀମାନେ କୁଇଜ୍ରେ ଅଂଶଗ୍ରହଣ କରି ନିଜର ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ୍ କରିପାରିବେ। ଏଥିସହିତ ନିଜ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ଲକ, ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସେଲ୍ଫି ମଧ୍ୟ ଏହି ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ। ଆସନ୍ତୁ ସମସ୍ତେ ମିଳିମିଶି ଓଡ଼ିଆ ପକ୍ଷ ପାଳନ କରିବା। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରାଇବା। ତେବେ ଓଡ଼ିଆ ପକ୍ଷ ତରଫରୁ ଆଜିର ବିଷୟ ରହିଛି ଆମ ପୋଷାକ ଆମ ପରିଚୟ ସମ୍ପର୍କ ରେ ।
ଆମ ପୋଷାକ ଆମ ପରିଚୟ
ପୋଷାକକୁ ନେଇ ଓଡ଼ିଆଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ପୁରୁଷଙ୍କର ଧୋତି, ଗାମୁଛା ଏବଂ ମହିଳାଙ୍କର ଶାଢ଼ି। ଖୋର୍ଦ୍ଧାର ଗାମୁଛା, ବୋମକାଇ ପାଟ। କୋଟପାଡ଼ର ପାଟ, ସମ୍ବଲପୁରର ସମ୍ବଲପୁରୀ ଶାଢ଼ି ଓ ପାଟ ଶାଢ଼ିର ସ୍ବତନ୍ତ୍ର ସ୍ଥାନ ରହିଛି। ସେହିପରି ମାଣିଆବନ୍ଧ ଶାଢ଼ି ବି ନିଜର ପରିଚୟ ବଜାୟ ରଖିଛି। ସେହିପରି ଓଡ଼ିଶାର ଆଦିବାସୀମାନେ ମଧ୍ୟ ନିଜ ନିଜର ସ୍ବତନ୍ତ୍ର ବେଶଭୂଷା ରଖନ୍ତି। ରଜ ସଂକ୍ରାନ୍ତି, ପ୍ରଥମାଷ୍ଟମୀ, ନୂଆଁଖାଇ, ଦଶହରା ସମୟରେ ଓଡ଼ିଆ ପରିବାରରେ ଏହିସବୁ ପାରମ୍ପରିକ ପୋଷାକ ପିନ୍ଧା ଯାଇଥାଏ।
କିପରି ପାଳନ କରିବା
ଏହି ଦିବସରେ ଆମର ପାରମ୍ପରିକ ପୋଷାକ ପିନ୍ଧିବା। ଫଳରେ ଏସବୁ ପାରମ୍ପରିକ ପୋଷାକ ଶିଳ୍ପର ପୁନର୍ଜୀବୀତ ହୋଇପାରିବ। ଓଡ଼ିଆଙ୍କ ମଧ୍ୟରେ ନିଜର ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ବଢ଼ିଲେ, ଚାହିଦା ବଢ଼ିବ ଓ ବଜାର ବଢ଼ିବ। ବଜାର ବଢ଼ିଲେ ବୁଣାକାରମାନେ ରୋଜଗାର ପାଇବେ। ସରକାରଙ୍କ ପକ୍ଷରୁ ପରମ୍ପରିକ ପୋଷାକ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଆ ପକ୍ଷରେ ବା ଓଡ଼ିଶା ଦିବସଠାରୁ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବୟନିକା ଓ ଅମ୍ଳାନ ଷ୍ଟୋରଗୁଡ଼ିକରେ ବିଶେଷ ରିହାତିର ବ୍ୟବସ୍ଥା ରହିଛି। ଆଉ ଏହାକୁ ପାଳିବା ଭିତରେ ନିଜ ସ୍ବାଭିମାନକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି। ପାରମ୍ପରିକ ପୋଷାକ ପିନ୍ଧି ସେଲ୍ଫି ଅପଲୋଡ ମଧ୍ୟ କରିପାରିବେ।

