ନୂଆଦିଲ୍ଲୀ:କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନଙ୍କୁ ଚିଠି ଲେଖି ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଲାଗିଥିବା ୧୮% GST ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି | ଜୁଲାଇ ୨୮ ତାରିଖରେ ସେ ଏହି ପତ୍ର ଲେଖି କହିଛନ୍ତି, ଏହି ପ୍ରିମିୟମ ଉପରେ ଟାକ୍ସ ଲାଗୁ କରିବା ଅର୍ଥ ଜୀବନର ଅନିଶ୍ଚିତତା ଉପରେ ଟାକ୍ସ ଲଗାଇବା | ଏପରି ଟାକ୍ସ ବୀମା କ୍ଷେତ୍ରର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବ | ତେଣୁ ବୀମା ଉପରୁ ଏହି GST ହଟାଇବା ଉପରେ ପ୍ରାଥମିକତା ଦେବା ଲାଗି ସେ ଅର୍ଥ ମନ୍ତ୍ରୀଂକୁ ପରାମର୍ଶ ଦେଇଛନ୍ତି | ନଚେତ ଏହା ବରିଷ୍ଠ ନାଗରିକଙ୍କ ପାଇଁ ବୋଝ ହୋଇପଡି଼ବ ବୋଲି ସେ କହିଛନ୍ତି |
ବୀମା ଟାକ୍ସ ପ୍ରତ୍ୟାହାର ପାଇଁ ଏହା ପୂର୍ବରୁ ଅନେକଥର ଉଦ୍ୟମ କରାଯାଇଛି | ଚଳିତ ଜୁନରେ କନଫରେସନ୍ ଅଫ ଜେନେରାଲ ଇନସୁରାନ୍ସ ଏଜେଣ୍ଟ ଆସୋସିଏଶନ ଅଫ ଇଣ୍ଡିଆ ତରଫରୁ ସ୍ୱାସ୍ଥ୍ୟ ବୀମା ପଲିସିରୁ GST ୧୮% କମାଇ ୫% କରିବାକୁ ସରକାରଙ୍କୁ ନିବେଦନ କରା ଯାଇଥିଲା | GST କମିବା ଦ୍ୱାରା ଏହି ପଲିସୀକୁ କିଣିବା ପାଇଁ ଲୋକଙ୍କର ଆଗ୍ରହ ବଢିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଥିଲା |
ସେ ଆହୁରି କହିଥିଲେ, ପରିବାରର ସୁରକ୍ଷା ପାଇଁ ଲୋକେ ବୀମା କିଣିଥାନ୍ତି | ହେଲେ ଏଥିରେ ଏତେ ମାତ୍ରାରେ ଟାକ୍ସ ଲୋକଙ୍କ ପାଇଁ ବୋଝ ହୋଇ ପଡିବ | ଫଳରେ ସେମାନେ ନିବେଶ କରିବା ପାଇଁ ଇଛା ପ୍ରକାଶ କରିବେ ନାହିଁ | ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ଏହା ବୋଝ ହୋଇ ପଡି଼ବ ବୋଲି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ |
ନାଗପୁର ଡିଭିଜନାଲ ଲାଇଫ୍ ଇନସୁରାନ୍ସ କର୍ପୋରେସନ କର୍ମଚାରୀ ସଂଘ ପକ୍ଷରୁ ଗଡକାରୀଙ୍କୁ ଏ ନେଇ ଏକ ଦାବୀପତ୍ର ଦିଆଯାଇଥିଲା | ଏହାକୁ ବିଚାରକୁ ନେଇ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସେ ଏହି ଚିଠି ଲେଖିଛନ୍ତି |