ସୁକମା: ଭୁଶୁଡୁଛି ମାଓ ଗଡ । ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଆଜି ଛତିଶଗଡ଼ ସୁକମାରେ ୨୨ ମାଓବାଦୀ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ୨୨ ଜଣଙ୍କ ମଧ୍ୟରୁ ୧୨ ହାର୍ଡକୋର୍ ମାଓବାଦୀ ଅଛନ୍ତି । ୧୨ ମାଓବାଦୀଙ୍କ ନାଁରେ ଥିଲା ସାଢ଼େ ୪୦ ଲକ୍ଷର ଅର୍ଥ ରାଶି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୯ ଜଣ ମହିଳା । ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି ।
ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକମା ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏ ଦିଗରେ ଯବାନ ମାନେ ଘନଘନ ଅପରେସନ କରୁଥିବା ବେଳେ ୧୫ ମାସରେ ୩୩୪ ମାଓବାଦୀଙ୍କ ଜୀବନ ଗଲାଣି । ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ସରକାରଙ୍କର ଆତ୍ମସମର୍ପଣ ନୀତି ମଧ୍ୟ ରହିଛି । ତେଣୁ ହିଂସା ଛାଡ଼ି ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି । ଏହାପର୍ବରୁ ମଧ୍ୟ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେବା ପରେ ମାଓବାଦୀମାନେ ସାମୁହିକ ଭାବେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି ।

