
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଆୟୋଜିତ ହୋଇଯାଇଛି । ଜନ୍ମ ଜୟନ୍ତୀ ସମାରୋହ ଆୟୋଜିତ କାର୍ଯ୍ୟକ୍ରମରେ ମହତାବଙ୍କୁ ନେଇ ସୁଦୃଶ୍ୟ ଫଟୋଚିତ୍ର ପ୍ରଦର୍ଶନୀ ହୋଇଛି। ମହତାବଙ୍କ ଉପରେ ଏକ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ପ୍ରମୁଖ ଉପସ୍ଥିତ ରହିଥିଲେ।
ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବା ସହ ନିଜର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ହରେକୃଷ୍ଣ ମହତାବ ନବ ଓଡ଼ିଶାର ନିର୍ମାତା। ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସବୁବେଳେ ଓଡ଼ିଶାର ବିକାଶ କଥା ଚିନ୍ତା କରୁଥିଲେ ମହତାବ। ମହାନ ରାଷ୍ଟ୍ରନେତା, ସ୍ବାଧୀନତା ସଂଗ୍ରାମୀ ଭାବେ ଅବଦାନ ଅତୁଳନୀୟ। ହୀରାକୁଦ ଡ୍ୟାମ୍ ଓ ଓଡ଼ିଆ ଭାଷା ପ୍ରତି ଅବଦାନକୁ ଭୁଲି ହେବ ନାହିଁ। ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠା କରି ସାମ୍ବାଦିକତା ବି ସୃଷ୍ଟି କରିଥିଲେ।