
ଚଣ୍ଡିଗଡ଼: ହରିୟାଣାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ହରିୟାଣାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ମନୋହରଙ୍କ ପରେ ଆଜିଠୁ ହରିୟାଣାର ଦାୟିତ୍ବ ତୁଲାଇବେ ନାୟବ ସିଂହ ସୈନୀ। ଆଜି ବିଧାୟକ ଦଳର ବୈଠକ ଥିବା ବେଳେ ନାୟବ ସିଂହ ସୈନୀ ବିଧାୟକ ଦଳ ନେତା ହୋଇଛନ୍ତି। ସୂଚାନୁଯାୟୀ, ଆଜି ସନ୍ଧ୍ୟା ୫ଟା ବେଳେ ନାୟବ ସିଂହ ସୈନୀ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ୫ଟି ନୂଆ ଚେହେରା ମଧ୍ୟ କ୍ୟାବିନେଟରେ ଯୋଗ ଦେବେ ବୋଲି କୁହାଯାଉଛି।
ମନୋହର ଲାଲ ଖଟ୍ଟର ସିଏମ ପଦରୁ ଇସ୍ତଫା ଦେବା ପରେ ନୂଆ ସିଏମଙ୍କ ନାମ ମନ୍ଥନ ପାଇଁ ବିଧାୟକ ଦଳ ବୈଠକ ବସିଥିଲା । ଏହି ବୈଠକରେ କୁରୁକ୍ଷେତ୍ର ସାଂସଦ ତଥା ଭାଜପା ଅଧ୍ୟକ୍ଷ ନାଏବ ସିଂ ସୈନୀଙ୍କ ନାଁକୁ ସହମତି ମିଳିଛି । ନାଏବ ସୈନୀ ଏବେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ ।

୫୪ ବର୍ଷିୟ ନାୟବ ସିଂହ ସୈନୀଙ୍କ ବିଷୟରେ କହିବାକୁ ଗଲେ ସେ ଅମ୍ବାଲା ଜିଲ୍ଲାର ନାରାୟଣଗଡରେ ଥିବା ମିର୍ଜାପୁର ଗାଁର ବାସିନ୍ଦା। ମିରଟରେ ଚୌଧରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ସେ ଓକିଲାତି ପାଠ ପଢ଼ିଛନ୍ତି। ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନାୟବ ସୈନୀ ୨୦୧୪ରେ ପ୍ରଥମ ଥର ପାଇଁ ଅମ୍ବାଲା ଜିଲ୍ଲାର ନାରାୟଣଗଡ ବିଧାନସଭାରୁ ବିଧାୟକ ହୋଇଥିଲେ। ପରେ ସେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂଙ୍କୁ ୩ଲକ୍ଷ ୮୪ହଜାର ୫୯୧ ଭୋଟ ବ୍ୟବଧାନରେ ପରାସ୍ତ କରି ଜିତିଥିଲେ। ଏବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ବଡ଼ ଦାୟିତ୍ବ ମିଳିଛି।