ଭୁବନେଶ୍ୱର: ଭରସା ପ୍ରତିଦାନରେ ଦେଲ ପ୍ରତାରଣା | ଗେମ ଚେଞ୍ଜର ଆଶ୍ୱାସନା ଦେଇ ହେଲ ନେମ ଚେଞ୍ଜର | ଆମ ସରକାରଙ୍କ ଯୋଜନା ପାଇଁ ୮୦% ବ୍ୟୟବରାଦ କଲ | ବାକି ୨୦% ପ୍ରତିଶତ କେବଳ ତୁମ ପ୍ରତିଶୃତି ପୁରଣ ପାଇଁ | ପ୍ରଥମ ବଜେଟ ଉପସ୍ଥାପନା ପାଇଁ ଧନ୍ୟବାଦ, ଆମେ କରିଥିବା ଯୋଜନାକୁ ଆପଣେଇଥିବାରୁ ବି ଧନ୍ୟବାଦ | ତେବେ ମିଥ୍ୟାର ଦସ୍ତାବିଜ ବାଣ୍ଟନି | ଭତ୍ତା, ମାଗଣା ବିଜୁଳି, ଧାନ ଏମଏସପି ବୃଦ୍ଧି ନାଁରେ ମିଛ କହି ଲୋକଙ୍କୁ ହତାଶ କରନି | ଏମିତି କହି ବିଜେପି ସରକାରକୁ ତାତ୍ସଲ୍ୟ କରିଛନ୍ତି, ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ |
ସୋମବାର ବିଧାନସଭାରେ ନବୀନଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିଥିଲା | ବଜେଟ ଉପରେ ନିଜର ମନ୍ତବ୍ୟ ଦେବାକୁ ଯାଇ ମୋହନ ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ ନବୀନ ପଟ୍ଟନାୟକ | ବଜେଟ ବିଶ୍ଳେଷଣ କରିବାକୁ ଯାଇ ସରକାରଙ୍କ ମୁଖା ଖୋଲି ଦେଇଥିଲେ |
ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ନବୀନ | ସେ ପ୍ରଶ୍ନ କରିଛନ୍ତି, କେତେ ଜଣ ମହିଳାଙ୍କୁ ଯୋଜନାରେ ସାମିଲ କରିବେ ସରକାର ? କାହାକୁ ବାଦ ଦେବେ ? କାହାକୁ ସାମିଲ କରିବେ ? ବିଜେପି ପ୍ରତିଶୃତି ଦେଇଛି, ୨ ବର୍ଷ ମଧ୍ୟରେ ସରକାର ରାଜ୍ୟର ସମସ୍ତ ବିବାହିତା ମହିଳାଙ୍କୁ ୫୦ ହଜାର ଲେଖାଏ ଟଙ୍କା ଦେବେ | ରାଜ୍ୟରେ ୨ କୋଟି ମହିଳା ଅଛନ୍ତି | ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୧ ଲକ୍ଷ କୋଟି ଦରକାର | କିନ୍ତୁ ସରକାର ବଜେଟରେ ଏହି ଯୋଜନା ପାଇଁ ମାତ୍ର ୧୦ ହଜାର କୋଟିର ପ୍ରାବଧାନ ରଖିଛନ୍ତି | ଏହା ଦ୍ୱାରା ମାତ୍ର ୧୦% ମହିଳା ଉପକୃତ ହେବେ | ତେବେ ଅନ୍ୟମାନଙ୍କୁ କେବେ ମଳିବ ଏହି ଟଙ୍କା ? ବାକି ୯୦% ପ୍ରତିଶତ ମହିଳାଙ୍କୁ ଏହି ଟଙ୍କା ମିଳିବ ତ? ଯଦି ମିଳିବ କବେ ମିଳିବ ?
ଏମିତି ପ୍ରଶ୍ନ ପଚାରି ସରକାରଙ୍କୁ ଘାଇଲା କରିଛନ୍ତି ନବୀନ ପଟ୍ଟନାୟକ | କ୍ଷମତାରେ ଥିବାବେଳେ ଗୃହକୁ ଆସୁ ନ ଥିବା, ମିଡ଼ିଆକୁ ବୟାନ ଦେଉନଥିବା ନବୀନଙ୍କୁ କାଲି ଗୃହରେ ଆକ୍ରମଣାତ୍ମକ ରୂପରେ ଦେଖିବାକୁ ମିଳିଥିଲା |
ସୁଭଦ୍ରା ଭତ୍ତା କିଏ ପାଇବେ, କିଏ ବଂଚିତ ହେବେ ?

