
ଭୁବନେଶ୍ଵର: ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ। ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହୋଇଛନ୍ତି ନିର୍ବାଚିତ । ରାଜ୍ୟ ପରିଷଦ ବୈଠକରେ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା କରାଯାଇଛି । ଖଣ୍ଡୁଆପାଟ ଦେଇ ନବୀନଙ୍କୁ ସ୍ବାଗତ କରିଛନ୍ତି କର୍ମୀ । ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ହେବା ପରେ ଏବେ ଜଣକ ପରେ ଜଣେ କର୍ମୀ ନବୀନଙ୍କୁ ଭେଟୁଛନ୍ତି । ତେବେ ବିଜେଡି ସଭାପତି ହେବା ପରେ କର୍ମୀ ମାନଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ।
ନବୀନ କହିଛନ୍ତି, ୨୦୦୦-୨୦୨୪ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । BJD ସବୁବେଳେ ରାଜ୍ୟବାସୀଙ୍କ ସେବା କରିଚାଲିଛି । ଆଗକୁ ବି ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରି ରହିବ । ୨୪ ନିର୍ବାଚନରେ ଆମେ କମ୍ ମାର୍ଜିନରେ ହାରିଛୁ । ମିଥ୍ୟା ପ୍ରଚାରକୁ ଠିକରେ କାଉଣ୍ଟର କରିପାରି ନଥିଲୁ । ସୋସିଆଲ ମିଡିଆରେ ଠିକ୍ରେ କାଉଣ୍ଟର କରିପାରିନଥିଲୁ । ବିଜେଡି ଭାଇ ଓ ଭଉଣୀଙ୍କ ଉପରେ ପୂରା ଭରସା ଅଛି । ସେମାନେ ମିଥ୍ୟା ପ୍ରଚାରର ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ନବୀନ ଆହୁରି କହିଛନ୍ତି ଯେ, ଆଞ୍ଚଳିକ ବିକାଶ ଆମର ଫୋକସ । ଓଡ଼ିଶାର ସ୍ୱାର୍ଥ ସହ ବିଜେଡି ସବୁବେଳେ ଯୋଡ଼ି ହୋଇରହିଛି । ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରିରହିବ । କେବେବି ଆଦର୍ଶରୁ ବିଚ୍ୟୁତ ହୋଇନି ବିଜେଡି । ସଦାସର୍ବଦା ବିଜେଡି ଆଦର୍ଶରେ ରହିଛି ଏବଂ ରହିବ । ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେଡି ହାରିଛି । ମିଛ ପ୍ରଚାର କରି ବିଜେପି କ୍ଷମତାକୁ ଆସିଛି ଏବଂ ବିଜେଡି ବିରୋଧରେ ମିଛ ପ୍ରଚାର କରି ଜିତିଛି ବିଜେପି । ଏହାସହିତ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡି କର୍ମୀ ଭାଇଭଉଣୀଙ୍କ ଉପରେ ପୂରା ଭରସା ଅଛି ଏବଂ ସେମାନଙ୍କୁ ଗାଁ ଗାଁରେ ବିଜେଡିର ସେବାର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ।