
ଆଜି ପବିତ୍ର ଜନ୍ମାଷ୍ଟମୀ ତିଥି ।ଗାଁ ରୁ ସହର ସାରା ଦେଶ କୃଷ୍ଣମୟ ।ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ ମହତ୍ତ୍ୱ ରହିଛି।ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ଦେଶ ।ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ।ମଥୁରା ଓ ବୃନ୍ଦାବନରେ ମଧ୍ୟ ଶ୍ରୀକୃଷ୍ଣମୟ ହୋଇଉଠିଛି ।ଏହିଦିନ ଭକ୍ତମାନେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ଟା ରେ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଜନ୍ମାଷ୍ଟମୀର ପରଦିନ ନନ୍ଦୋତ୍ସବ ପାଳନ କରାଯାଏ।
ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଭଜନ କୀର୍ତ୍ତନ କରିଥାନ୍ତି। ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ।ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି।ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା। ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ।
କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ। ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରାଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣୁ ଧାରଣ କରିଥିଲେ କୃଷ୍ଣ ଅବତାର।
ଘନ ଅନ୍ଧକାର ମଧ୍ୟରେ ନବଜାତ ଶିଶୁକୁ ବସୁଦେବ ମଥୁରାରୁ ନେଇ ଗୋପପୁରର ରାଜା ନନ୍ଦଙ୍କ ଘରେ ଛାଡି ଆସିଥିଲେ। ଯଶୋଦାଙ୍କ କୋଳରେ କଟିଥିଲା ମହାପ୍ରଭୁଙ୍କ ବାଲ୍ୟ କାଳ। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।