ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା । ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ଇ-ମେଲ । ଇ-ମେଲ ପଠେଇଛନ୍ତି ନବ ଦାସଙ୍କ ପତ୍ନୀ । ତେବେ ଇ-ମେଲରେ ମାଧ୍ୟମରେ କିଛି ସମୟ ମାଗିଛନ୍ତି ନବ ଦାସଙ୍କ ପତ୍ନୀ । କେବଳ ଇ-ମେଲ ନୁହେଁ , ପୋଷ୍ଟାଲ୍ରେ ମଧ୍ୟ ଚିଠି କରି ସେ ସମୟ ମାଗିଛନ୍ତି ଏବଂ ସ୍ୱାମୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନା ଅନୁସାରେ, ଏହି ମେଲଟି ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଛି । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହଚନ ଚରଣ ମାଝୀଙ୍କୁ ଇ-ମେଲ କରାଯାଇଥିବା ଏବଂ ଚିଠି ଲେଖାଯାଇଥିବା ନେଇ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସୂଚନା ଦେଇଛନ୍ତି। ଅପରପକ୍ଷରେ ଚିଠିରେ କ’ଣ ଉଲ୍ଲେଖ ରହିଛି ସେ ସମ୍ପର୍କରେ ବିଶାଲ ଦାସ କିଛି କହିନାହାନ୍ତି। ପୂର୍ବରୁ ନବ ଦାସଙ୍କ ପରିବାର ଲୋକେ ଚିଠି ଲେଖି ଜଣାଇଲେ ସିବିଆଇ ତଦନ୍ତ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। କ୍ରାଇମ ବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ଥିଲେ ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ କରୁ ବୋଲି ପରାମର୍ଶ ଦିଆଯାଇଥିଲା। ଏହାପରେ ପରିବାର ସହିତ ଆଲୋଚନା ପରେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ପୂର୍ବରୁ ନବ ଦାସଙ୍କ ଝିଅ ଦୀପାଳି ଦାସ କହିଥିଲେ।
ନବ ଦାସଙ୍କ ହତ୍ୟା ଘଟଣାକୁ ଏହାରି ଭିତରେ ୨ ବର୍ଷ ବିତିଛି। ଏପଟେ ମାମଲାର କ୍ରାଇମବ୍ରାଞ୍ଚର ତଦନ୍ତ ସନ୍ଦେହ ପରିସରରୁ ମୁକୁଳି ପାରୁନାହିଁ। ବର୍ତ୍ତମାନର ଶାସକ ଦଳ ନେତାମାନେ ମଧ୍ୟ ସେ ସମୟରେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ କେନ୍ଦ୍ର କରି ତଦନ୍ତକୁ ନେଇ କୌଣସି ଆପତ୍ତି ଥିଲେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବାକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ହୋଇଥିଲା। ହେଲେ ସେମାନେ ହାଜର ନହୋଇ ସମୟ ମାଗିଥିଲେ। ଏପରିକି ସିବିଆଇ ତଦନ୍ତ ଦାବି ଚାହୁଁଥିବା ଦୀପାଳି ଓ ବିଶାଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ହେଲେ ଆବେଦନ ପାଇଁ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ସମାଲୋଚନା ହେଉଛି। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇମେଲ ଓ ଚିଠି ଯୋଗେ ସମୟ ମାଗିବା ପରେ ନବ ଦାସ ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଫେରିଛି।