ନୂଆଦିଲ୍ଲୀ: ମିଆଁମାର ଭୂକଂପରେ ମୃତ୍ୟୁସଂଖ୍ୟା ୬୯୪ ପାର ହୋଇଛି। ୭ଶହରୁ ଅଧିକ ଆହତ ହୋଇଛନ୍ତି। ଏହି ପ୍ରଳୟଙ୍କାରୀ ବିପର୍ଯ୍ୟୟରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ନେଇ ଅନୁମାନ କରାଯାଉଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜଧାନୀ ନାପିଦା ମଶାଣି ଭୂଇଁ ସଦୃଶ ରୂପ ନେଇଛି। ଗତକାଲିର ଏ ପ୍ରଳଙ୍କକାରୀ ବିପର୍ଯ୍ୟୟ ପରେ ମିଆଁମାରର ଜୁଣ୍ଟା ସରକାର ମୁଖ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି।
ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣପଶ୍ଚିମ ୟୁନାନ୍ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍କା ଅନୁଭୂତ ହୋଇଛି ।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୫୦ ମିନିଟ୍ରେ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଅନୁଭୂତ ହୋଇଥିଲା ୭.୭ ତୀବ୍ରତାର ଭୂକମ୍ପ। ଗୋଟିଏ ପରେ ଗୋଟିଏ କରି ୬ଟି ଝଟ୍କା ଅନୁଭବ କରିଥିଲେ ମିଆଁମାରବାସୀ। ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଥିଲା ବିରାଟକାୟ ଅଟ୍ଟାଳିକା। ରାସ୍ତାଘାଟ ସବୁ ଫାଟି ଆଁ କଲା, ପୋଲ ଭୁଶୁଡ଼ିଗଲା। ସେପଟେ ଥାଇଲାଣ୍ଡରେ ବି ଭୟଙ୍କର କ୍ଷୟକ୍ଷତି ଘଟାଇଲା ୭.୭ ତୀବ୍ରତାର ଭୂକମ୍ପ। ସର୍ବାଧିକ ପ୍ରଭାବିତ ହେଲା ରାଜଧାନୀ ବ୍ୟାଙ୍ଗକକ୍। ମିଆଁମାରର ମୋନୟା ସହର ଠାରୁ ୫୦ କିମି ଦୂରରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ୧୮୩୯ ଆଭା ଭୂକମ୍ପ ପରେ ଏହା ହେଉଛି ଦେଶରେ ସବୁଠାରୁ ବଡ଼ ଭୂକମ୍ପ । ପ୍ରାୟ ୨୦୦ ବର୍ଷ ତଳେ ଆସିଥିବା ୮.୩ ତୀବ୍ରତାର ଏହି ଭୂକମ୍ପରେ ଯାଇଥିଲା ଶତାଧିକ ଲୋକଙ୍କ ଜୀବନ।