ମୁମ୍ବାଇ: ମହାରାଷ୍ଟ୍ରରେ ସକ୍ରିୟ ଥିବା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କର ପୂର୍ବତନ ଜେନେରାଲ ମ୍ୟାନେଜର ହିତେଶ ପ୍ରବିଣଚାନ୍ଦ ମେହେତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ବ୍ୟାଙ୍କରୁ ୧୨୨ କୋଟି ଟଙ୍କା ହଡ଼ପ କରିଥିବା ନେଇ ପୂର୍ବତନ ଜିଏମଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବ୍ୟାଙ୍କର ମୁଖ୍ୟ ଆକାଉଣ୍ଟସ୍ ଅଧିକାରୀ । ଯେତେବେଳେ ହିତେଶ ବ୍ୟାଙ୍କର ମହାପ୍ରବନ୍ଧକ ଥିଲେ ଏବଂ ଦାଦର, ଗୋରେଗାଓଁ ଶାଖା ଦାୟିତ୍ଵରେ ଥିଲେ ଅର୍ଥାତ୍ ୨୦୨୦ ରୁ ୨୦୨୫ ମଧ୍ୟରେ ଏହି ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବ୍ୟାଙ୍କ ଅଧିକାରୀ ।
ଏନେଇ ଥାନାରେ ଏତଲା ଦିଆଯାଇଛି । ସେପଟେ ହିତେଶଙ୍କ ବ୍ୟତୀତ ଏହି ଠକେଇ ମାମଲାରେ ଆଉ ଜଣେ ବ୍ୟକ୍ତି ଥିବା ନେଇ ସନ୍ଦେହ କରୁଛି ପୋଲିସ । ମାମଲାକୁ ଗମ୍ଭୀରତାର ସହ ନେଇ ଅଧିକ ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖା (EOW)କୁ ଏହି ମାମଲା ହସ୍ତାନ୍ତର କରାଯାଇଛି । ଠକେଇ ଅଭିଯୋଗରେ ହିତେଶଙ୍କ ଉପରେ ଆଇପିସି ଧାରା ୩୧୬(୫) ଏବଂ ୬୧(୨) ଅନୁଯାୟୀ ଏକ ଏଫଆଇଆର ରୁଜୁ କରିଛି ଦାଦର ପୋଲିସ ।
ସୂଚନାଯୋଗ୍ୟ, ମୁମ୍ୱାଇରେ ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କକୁ ଗତକାଲି ବ୍ୟାନ କରିଛି ଆରବିଆଇ । ବ୍ୟାଙ୍କରେ ବ୍ୟାପକ ଅନିୟମିକତା ଯୋଗୁ ବ୍ୟାଙ୍କର କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି ଆରବିଆଇ । ଆରବିଆଇ ଦ୍ୱାରା କଟକଣା ଲାଗୁ କରାଯିବା ପରେ ବ୍ୟାଙ୍କର ଖାତାଧାରକ ନିଜ ଜମାପୁଞ୍ଜି ବାହାର କରିପାରିବେ ନାହିଁ । ନ୍ୟୁ ଇଣ୍ଡିଆ ସମବାୟ ବ୍ୟାଙ୍କ ଏବେ କୌଣସି ଲୋନ୍ ଦେଇପାରିବ ନାହିଁ କି ଜମା ରଖିପାରିବେ ନାହିଁ । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ । ସେପଟେ ଆରବିଆଇ ନିୟମ ଅନୁସାରେ ଗ୍ରାହକ ଏବେ କେବଳ ୫ ଲକ୍ଷ ଟଙ୍କା ଯାଏ ହିଁ ବାହାର କରିପାରିବେ ।