
ସାରା ବିଶ୍ୱରେ ଆତଙ୍କ ଖେଳାଇଛି ମଙ୍କିପକ୍ସ ।ଜଣେ ବିଦେଶ ଫେରନ୍ତା ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଦେଶ ଭ୍ରମଣ କରିଥିଲେ। ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଯିବାରୁ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ମଙ୍କିପକ୍ସ ହୋଇଛି କି ନାହିଁ, ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତିତ ହେବାର କୌଣସି ଅବଶ୍ୟକତା ନାହିଁ ବୋଲି କହିଛନ୍ତି । ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଗୋପନୀୟ ରଖାଯାଇଛି। PIB ରିପୋର୍ଟ ଅନୁଯାୟୀ, ବିଦେଶରୁ ଆଗତ ଏହି ବ୍ୟକ୍ତି ଜଣଙ୍କ ଅନ୍ୟ କେଉଁମାନଙ୍କ ସହ ମିଶିଥିଲେ, ସେନେଇ ଟ୍ରେସିଂ କରାଯାଇଛି । ବର୍ତ୍ତମାନ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।
ବିଶେଷଜ୍ଞଙ୍କ କହିବା ମୁତାବକ, କୌଣସି ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହେବା ପରେ ପ୍ରାୟ ୨-୪ ସପ୍ତାହ ପର୍ଯ୍ୟନ୍ତ ଏଥିରେ ପୀଡିତ ରହିଥାନ୍ତି। ସଠିକ ଚିହ୍ନଟ ଓ ଚିକିତ୍ସା ଫଳରେ ଆରୋଗ୍ୟ ସମ୍ଭବ। ରୋଗୀ ବା ଆକ୍ରାନ୍ତଙ୍କ ସହ ଯେକୌଣସି ସୁସ୍ଥ ବ୍ୟକ୍ତି ଯଦି ସିଧା ସମ୍ପର୍କରେ ଆସୁଛନ୍ତି ତେବେ ଏହା ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ରୋଗୀର ରକ୍ତ, ମଳ-ମୁତ୍ର, ଲାଳ ଓ ଶରୀରରୁ ବାହାରୁଥିବା କୌଣସି ସ୍ରାବରେ ଏହି ଭୂତାଣୁ ଥାଆନ୍ତି। ତେଣୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ଓ ସେ ମିଶିଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ-ଟ୍ରେସିଂ କରାଯିବା ମଧ୍ୟ ଜରୁରୀ ହୋଇଥାଏ ।