ଭୁବନେଶ୍ବର : ମିଶନ ଶକ୍ତି ମା’ମାନଙ୍କ ପାଇଁ ଖୁସି ଖବର । ୬୦ ବର୍ଷପରେ ମିଳିବ ପେନଶନ । ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି । ରାଜ୍ୟରେ ମିଶନ ଶକ୍ତି ମା ମାନଙ୍କୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ୨୫ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଅଛି ।
କିଛି ଦିନ ତଳେ ପୁରୀ କୃଷ୍ଣପ୍ରସାଦରେ ନିର୍ବାଚନ ପ୍ରଚାର ବେଳେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷପରେ ମିଳିବ ପେନଶନ ଏହି ଘୋଷଣା କରିଛନ୍ତି ପାଣ୍ଡିଆନ I ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କର ୩ଟି ଦସ୍ତଖତ କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ପୁରୀ ବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ଏମପି ପ୍ରାର୍ଥୀ ଜିତିବେ, ଜୁନ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ୩ଟି ଦସ୍ତଖତ କରିବେ । ପ୍ରଥମରେ ମାଗଣା ବିଜୁଳି ବିଲ ଉପରେ ଦସ୍ତଖତ କରିବେ, ଜୁଲାଇଠାରୁ ଆଉ ବିଜୁଳି ବିଲ ଆସିବନି । ଦ୍ୱିତୀୟରେ ବିଏସକେୱାଇ କାର୍ଡ ଯୋଜନା, ଯେଉଁଥିରେ ବାକି ରହିଯାଇଥିବା ପ୍ରତି ପରିବାରକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇଦିଆଯିବ । ତୃତୀୟ ଦସ୍ତଖତ କରି ମିଶନ ଶକ୍ତି ମା’ଙ୍କର ବହୁ ଦିନର ଇଚ୍ଛାକୁ ପୂରଣ କରିବେ ମୁଖ୍ୟମନ୍ତ୍ରୀ।
ବହୁ ଦିନରୁ ମିଶନ ଶକ୍ତି ମା’ଙ୍କର ଦାବି ଥିଲା ସେମାନଙ୍କୁ ଭତ୍ତା ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଶପଥ ନେବା ପରେ ସେମାନଙ୍କର ଏହି ଇଚ୍ଛାକୁ ପୂରଣ କରିବେ । ମିଶନ ଶକ୍ତି ଗ୍ରୁପର ମା’ ମାନଙ୍କୁ ୬୦ ବର୍ଷ ପରେ ପେନସନ ମିଳିବ ବୋଲି ପ୍ରଚାର ମଞ୍ଚ ଉପରୁ ପ୍ରତିଶ୍ରୁତି ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ସେହିପରି ପାଣ୍ଡିଆନ ସଭାରେ କହିଛନ୍ତି ବିରୋଧୀ କେବଳ ମିଛ ପ୍ରତିଶୃତି ଦେଉଛନ୍ତି I ବିଜେପିର ବହୁ ବଡ଼ବଡ଼ ନେତା କହିଥିଲେ ଚିଲିକାରେ ସେତୁ କରିବେ I ୨୦୧୪ ରେ ନିତିନ ଗଡ଼କରୀ ଆସି ଚିଲିକାରେ ସେତୁ କରିବା କଥା କହିଥିଲେ ,ହେଲେ ପରେ ଭୁଲିଗଲେ । ଏବେ ପୁଣି ନିର୍ବାଚନ ଆସିବାରୁ ଓଡିଶା କଥା ମନେପଡିଲା । ଏଥର ଆସି ପୁଣି ସେଇ ପୁରୁଣା କଥାକୁ ଦୋହରାଉଛନ୍ତି । ପୁଣି ଲୋକଙ୍କୁ ଚିଲିକା ସେତୁ କଥା କହି ଭୁଆଁ ବୁଲାଉଛନ୍ତି । କିନ୍ତୁ ଚିଲିକାରେ ସେତୁ ହୋଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ କହିଥିଲେ I କୌଣସି କେନ୍ଦ୍ରମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନି । ଲୋକଙ୍କ ନିଜ ନିର୍ବାଚନ ସ୍ୱାର୍ଥ ପାଇଁ ମିଛ କଥା କହୁଛନ୍ତି । ସେ ଲୋକମାନଙ୍କ ପାଇଁ କଣ ପ୍ରତିଶୃତି ଦେବେ I ନିଜ ସ୍ୱାର୍ଥ ପାଇଁ ନିର୍ବାଚନ ସମୟରେ ସେ ମିଛ କହୁଛନ୍ତି I