Site icon UTKAL PRATIDIN

ପେଟ୍ରୋଲ ଦରକୁ ନେଇ ବଢ଼ିଲା ଦୁର୍ଦ୍ଧଶା

63

ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସ୍ଥିତି ବେଳକୁ ବେଳ ଦୟନୀୟ ହେବାରେ ଲାଗିଛି। ବିଶେଷକରି ଏଠାକାର ସାଧାରଣ ଏବଂ ଗରିବ ଲୋକଙ୍କ ସ୍ଥିତି ଅସହ୍ୟ ହେବାରେ ଲାଗିଛି। ଆର୍ଥିକ ସଙ୍କଟ ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ପାକିସ୍ତାନବାସୀଙ୍କ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି। ଏଭଳି ସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାକିସ୍ତାନବାସୀଙ୍କୁ ଘୋର ସଙ୍କଟ ମଧ୍ୟକୁ ଟାଣି ନେଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୩୦ ଟଙ୍କାରୁ ଅଧିକ ସ୍ତରରେ ପହଞ୍ଚିଛି।

ଶନିବାର ଏଠାକାର କାମଚଳା ସରକାର ପେଟ୍ରୋଲ ମୂଲ୍ୟରେ ୨୬ ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୧୭ ଟଙ୍କା ବୃଦ୍ଧି କରିବା ପରେ ଆଗକୁ ସାଧାରଣ ଲୋକ କିଭଳି ଜୀବନ ନିର୍ବାହ କରିବେ ତାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଏହି ସ୍ତରରେ ପହଞ୍ଚିଛି। ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲ ମୂଲ୍ୟରେ ୨୬ ଟଙ୍କା ୦୨ ପଇସା ଏବଂ ହାଇସ୍ପିଡ୍ ଡିଜେଲ ମୂଲ୍ୟରେ ୧୭ ଟଙ୍କା ୩୪ ପଇସା ବୃଦ୍ଧି କରାଯିବା ପରେ ଲିଟର ପିଛା ପେଟ୍ରୋଲ ୩୩୧.୩୮( ପାକିସ୍ତାନୀ) ଟଙ୍କା ଓ ଡିଜେଲ ମୂଲ୍ୟ ୩୨୯.୧୮ଟଙ୍କା ଛୁଇଁଛି।

ଏହାକୁ ନେଇ ପରିବହନ ମୂଲ୍ୟ ମଧ୍ୟ ବଢିବ ବୋଲି ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଘୋଷଣା କରିଛନ୍ତି। ପୂର୍ବାପେକ୍ଷା ଏବେ ସାଧାରଣ ପରିବହନ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଗୋଟିଏ ପକ୍ଷରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ ବେହାକୁ ବସିଥିଲା ବେଳେ ଆମଦାନୀ ଅଭାବରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇପଡ଼ିଛି।

Exit mobile version