
ନୂଆଦିଲ୍ଲୀ: ଆରପାରିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ । ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହନ୍ତେ ହୋଇଛି। ବାର୍ଦ୍ଧକ୍ୟ ରୋଗରେ ପୀଡିତ ହୋଇ ୯୫ବର୍ଷ ବୟସରେ ଆଖି ବୁଜିଛନ୍ତି ନୃତ୍ୟଗୁରୁ ମାୟାଧର ରାଉତ । ଏ ନେଇ ତାଙ୍କ ପୁଅ ମନୋଜ ରାଉତ ସୂଚନା ଦେଇଛନ୍ତି। ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ ।
ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମାୟାଧର ରାଉତ । ବଡ଼ଭାଇ ହରିହର ରାଉତଙ୍କ ପ୍ରଭାବରେ ସେ ପିଲାବେଳୁ ନାଟକ ଓ ନୃତ୍ୟ ସହିତ ଜଡ଼ିତ ହୋଇଥିଲେ । ନାଟ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ଦୁର୍ଲଭ ସିଂ, ପଙ୍କଜ ଚରଣ ଦାସ, ମୋହନ ମହାପାତ୍ର, ଯୁଦ୍ଧିଷ୍ଟିର ମହାମାତ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓ ଦୟାଲ ଶର୍ମା ଆଦିଙ୍କଠାରୁ ସେ ନୃତ୍ୟ, ଅଭିନୟ ଓ ମଞ୍ଚକଳା ଶିକ୍ଷା କରିଥିଲେ । ରାମ ଗୋପାଳ ମିଶ୍ରଙ୍କଠାରୁ ସେ କଥକ ନୃତ୍ୟ ଶିକ୍ଷା କରିଥିଲେ । ୧୯୫୧ ମସିହାରେ ସେ ଏକ ବୃତ୍ତିଲାଭ କରି କଳାକ୍ଷେତ୍ରକୁ ଯାଇଥିଲେ । ସେଠାରେ ସେ ରୁକ୍ମଣୀ ଦେବୀ ଅରୁଣ୍ଡଲେଙ୍କଠାରୁ ଭରତନାଟ୍ୟମ ଓଟି କେ ଚନ୍ଦୁ ପାଣିକରଙ୍କଠାରୁ କଥକଳୀ ନୃତ୍ୟ ଶିକ୍ଷା କରିଥିଲେ ।
ମାୟାଧରଙ୍କ ନୃତ୍ୟ ଶିକ୍ଷା ପଦ୍ଧତ୍ତିରେ ଏକ ବିଜ୍ଞାନ ସମ୍ମତ ଦୃଷ୍ଟିକୋଣ ରହିଥାଏ । ଓଡ଼ିଶୀରେ ଅଭିନୟ ବିଭାଗରେ ତାଙ୍କର ମୁଖ୍ୟ ଅବଦାନ ରହିଛି । ସଞ୍ଚାରୀ ଭାବକୁ ଓଡ଼ିଶୀ ନୃତ୍ୟର ଅନ୍ତର୍ଭୁକ୍ତ କରିବାର ଶ୍ରେୟ ତାଙ୍କୁ ଯାଏ । ସେ ସଂଯୋଜନା କରିଥିବା ନୃତ୍ୟ ମଧ୍ୟରେ ତପସ୍ୱିନୀ, ମେଘଦୂତ, ସିଂଘଳ, କୃଷ୍ଣ ଚରିତ୍ରମ ଓ ଗୀତଗୋବିନ୍ଦମ ଆଦି ଅନ୍ୟତମ ।