ଭୁବନେଶ୍ଵର: ଜେଲ ଗଲା କୋଟିପତି ଚୋର ସ୍ପାଇଡର ସତୀଶ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଗିରଫ ସତୀଶ ରେଡ୍ଡି ଓରଫ ସ୍ପାଇଡର ସତିକୁ ଗିରଫ ପରେ ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ। ଦୁଇ ସପ୍ତାହର କସରତ ପରେ ସତୀଶକୁ ବିଶାଖାପାଟଣାରୁ ପୋଲିସ ଗିରଫ କରିଥିଲା । ତା ନିକଟରୁ ଚୋରି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୭ ଲକ୍ଷ ଟଙ୍କା ଜବତ ହୋଇଛି । ୪୦୦ ସିସିଟିଭି ଫୁଟେଜ୍, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଓ କେରଳ ପୋଲିସର ସୂଚନା ତଥା ସହଯୋଗ ବଳରେ ଏହି ଅନ୍ତଃରାଜ୍ୟ ସିନ୍ଧିଚୋରକୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଧିରେ ଧିରେ ଖୋଲୁଛି ସତୀଶଙ୍କ କଳା କାରନାମାର ଗୁମର । ରଙ୍ଗିଲା ଧୂର୍ତ୍ତ ସତୀଶର ଥିଲେ ୩ଟି ପତ୍ନୀ । ଗୋଟେ ପ୍ରେମିକା ବି ଥିଲା । ଗତ ବର୍ଷ ତ୍ରିଭେନ୍ଦ୍ରମ୍ ଜେଲରୁ ବାହାରିବା ପରେ ତୃତୀୟ ସ୍ତ୍ରୀ ପାଇଁ ଲାବ୍ରାଡର ଓ ସିଡଜୁ ପ୍ରଜାତିର ଦୁଇଟି କୁକୁର କିଣିଥିଲା ସତୀଶ । କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା । କୁକୁରଙ୍କ ଖେଳିବା ପାଇଁ ଲକ୍ଷେ ଟଙ୍କିଆ “ବଲ” ବି କିଣିଥିଲା ସ୍ପାଇଡର । ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ମାତ୍ର ମାଟ୍ରିକ ପାସ କରିଥିବା ସତୀଶ ୨୦୦୭ ମସିହାରେ ସିଙ୍ଗାପୁର ଯାଇ ସେଠାରେ ୱେଲଡର ଭାବେ କାମ କରିଥିଲା । ୨୦୦୯ ମସିହାରେ ସେ ପ୍ରଥମେ ଏକ କାର କାଚ ଭାଙ୍ଗି ସୁନା ବ୍ରେସଲେଟ ଓ ଟଙ୍କା ଆଦି ଲୁଟିଥିଲା । ୨୦୧୩ ସୁଦ୍ଧା ଚୋରି ବିଦ୍ୟାରେ ପୁରା ପାରଙ୍ଗମ ହୋଇସାରିଥିଲା ସତୀଶ । ଚୋରି ପାଇଁ ଜିମ୍ ଯାଉଥିଲା । ସେଠାରେ ସୁଉଚ୍ଚ ଅଟ୍ଟାଳିକା ମାନ ଚଢିବାର କୌଶଳ ଶିଖୁ୍ଥିଲା । ରଖିଥିଲା ନିଜର ବ୍ୟକ୍ତିଗତ ଟ୍ରେନର । ୟୁଟ୍ୟୁବ ଦେଖି ବଡ଼ ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରିବା ପରେ ଗୁଗୁଲ୍ ମ୍ୟାପ୍ ଦେଖି ଠିକଣା ଜାଗାରେ ପହଞ୍ଚୁଥିଲା । ଆଉ ସୁଉଚ୍ଚ ଅଟ୍ଟାଳିକାର କାନ୍ଥ ହେଉ ଅବା ଛାତ, ତା ଉପରେ ଚଢ଼ି ଚତୁରତାର ସହ ଘରେ ପଶି କଳାକନା ବୁଲାଇ ଖସିଯାଉଥିଲା।