Site icon UTKAL PRATIDIN

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ମନ୍ମଥ

16

ଭୁବନେଶ୍ବର: କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିବେନି ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ମତକୁ ଆଧାର କରି ସେ କଂଗ୍ରେସରୁ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। କେଉଁ ଦଳରୁ ଲଢ଼ିବେ ସେ ସଂପର୍କରେ ଆସନ୍ତା ଅକ୍ଟୋବର ମାସରେ ଘୋଷଣା କରିବେ ବୋଲି କହିଛନ୍ତି। ପୂର୍ବରୁ ବିଧାୟକ ସୁର ଆଉ ବୟସାଧିକ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ଘୋଷଣା କରିସାରିଛନ୍ତି। ଏ ଦୃଷ୍ଟିରୁ ତାଙ୍କ ସାନ ପୁଅ ମନ୍ମଥ କଂଗ୍ରେସରୁ ଜଟଣୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ବୋଲି ସେ ନିଜେ ଏକାଧିକ ଥର କହିସାରିଛନ୍ତି। ମାତ୍ର ମନ୍ମଥ ଏବେ ମନା କରିବା ପରେ ଜଟଣୀରେ କଂଗ୍ରେସର ନୂଆ ମୁହଁକୁ ପ୍ରାର୍ଥୀ ଭାବେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ମନ୍ମଥ କହିଛନ୍ତି ଯେ ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ମତ ରଖିଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛି। ଏହା ଗୋଟିଏ ଦିନର ନିଷ୍ପତ୍ତି ନୁହେଁ, ଭାବିଚିନ୍ତି ଏ ନିଷ୍ପତ୍ତି ନେଇଛି। ନିର୍ବାଚନମଣ୍ଡଳୀରେ ମଧ୍ୟ ଲୋକଙ୍କ ଭିତରେ ଏକପ୍ରକାର ଦ୍ବନ୍ଦ୍ବ ଦେଖା ଦେଇଥିଲା। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଏକାଧିକ ମତ ରହିଛି। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଲୋକଙ୍କ ମତ ଜାଣିସାରିଲିଣି। ଆସନ୍ତା ଅକ୍ଟୋବର ମାସରେ ଏହା ସଂପର୍କରେ ଘୋଷଣା ହେବ।

ସେ ଆହୁରିମଧ୍ୟ କହିଛନ୍ତି ଯେ କଂଗ୍ରେସରୁ ପ୍ରାର୍ଥୀ ହେବି କି ନାହିଁ ସେ ସଂପର୍କରେ ବାପାଙ୍କ ସହ ଆଲୋଚନା କରିଥିଲି। ବାପା କିନ୍ତୁ ମୋ ଉପରେ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି। ତାଙ୍କ ଲିଗାସିକୁ ନିଶ୍ଚିତ ଭାବେ ଆଗକୁ ନେବି। ଅଞ୍ଚଳର କିଛି ସମସ୍ୟାର ସମାଧାନ କରିବା ନେଇ ବହୁ ଦିନ ପୂର୍ବରୁ ନବୀନ ନିବାସକୁ ଯାଇଥିଲି। ତହିଁରୁ ୨ଟି ସମସ୍ୟାର ସମାଧାନ ରାଜ୍ୟ ସରକାର କରିଛନ୍ତି। ଶ୍ରୀଜଗନ୍ନାଥ ଜମିର ସମସ୍ୟାର ସମାଧାନ ନେଇ ଲଢ଼େଇ ଜାରି ରଖିଛି। ବ୍ୟବସ୍ଥାରେ ପରିବର୍ତନ କରିବା ମୋର ଲକ୍ଷ୍ୟ। ଶାସକ ଦଳ ନା ବିରୋଧୀ ଦଳରୁ ପ୍ରାର୍ଥୀ ହେବେ ପ୍ରଶ୍ନର ଉତ୍ତରରେ ଶ୍ରୀ ରାଉତରାୟ କହିଛନ୍ତି, ଏବେଠୁ ଦଳ କହିବା ଠିକ୍ ହେବ ନାହିଁ। ତେବେ ୭୦-୩୦% ମତ ମିଳିଛି। ଦିନକୁ ଦିନ ଏଥିରେ କିଛିଟା ପରିବର୍ତନ ଆସୁଛି। କିଛି ଘଟଣାକୁ ନେଇ ତୃଣମୂଳସ୍ତରରେ କିଛି ସମର୍ଥକ ମନଦୁଃଖ କରିଛନ୍ତି। ପୂର୍ବରୁ ଏହି ମତ ୮୦-୨୦% ରହିଥିଲା। ଯିଏ ଜଟଣୀବାସୀଙ୍କୁ ସମ୍ମାନ ଦେବ ମୁଁ ତାଙ୍କ ସହ ରହିବି ବୋଲି ସେ କହିଛନ୍ତି।

Exit mobile version