ନୂଆଦିଲ୍ଲୀ: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ମମତା ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମମତା କୁଲକର୍ଣ୍ଣୀ କହିଛନ୍ତି ଯେ, ଆଜି କିନ୍ନର ଆଖଡ଼ା କିମ୍ବା ଉଭୟ ଆଖଡ଼ାରେ ମୋତେ ନେଇ ବିବାଦ ରହିଛି, ତେଣୁ ମୁଁ ଏଥିରୁ ଇସ୍ତଫା ଦେଉଛି। ମୁଁ ୨୫ ବର୍ଷ ଧରି ସାଧ୍ୱୀ ଥିଲି ଏବଂ ଭବିଷ୍ୟତରେ ମଧ୍ୟ ସାଧ୍ୱୀ ହୋଇ ରହିବି ବୋଲି କହିଛନ୍ତି ମମତା କୁଲକର୍ଣ୍ଣି ।
ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମହାମଣ୍ଡଳେଶ୍ୱରର ସମ୍ମାନ ମୋତେ ଦିଆଯାଇଥିବାରୁ ଲୋକେ ଏନେଇ ଆପତ୍ତି ଜଣାଇଥିଲେ । ମୁଁ ବଲିଉଡ୍ ଛାଡିବାର ଇତି ମଧ୍ୟରେ ୨୫ ବର୍ଷ ବିତିଗଲାଣି। ମେକଅପ୍ ଏବଂ ବଲିଉଡ୍ ଛାଡିବା ଏତେ ସହଜ ନୁହେଁ। ମୁଁ ଦେଖିଲି ଯେ ମୋତେ ମହାମଣ୍ଡଳେଶ୍ୱର କରିବାକୁ ନେଇ ଅନେକ ଲୋକଙ୍କର ସମସ୍ୟା ହେଉଥିଲା । ମୋର ଗୁରୁ, ଯାହାଙ୍କ ଉପସ୍ଥିତିରେ ମୁଁ କଠୋର ତପସ୍ୟା କରିଥିଲି ତାଙ୍କ ସମକକ୍ଷ ମୁଁ କାହାକୁ ମଧ୍ୟ ଦେଖୁନାହିଁ । ମୋତେ କୌଣସି କୈଳାସ କିମ୍ବା ମାନସରୋବର ଯିବାର ଆବଶ୍ୟକତା ନାହିଁ। ମୋ ଉପରେ ଆପତ୍ତି କରୁଥିବା ଲୋକଙ୍କ ବିଷୟରେ ମୁଁ କମ୍ କହିବା ଭଲ ହେବ। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ମୁଁ ଟଙ୍କା ପଇସା ଦେଇ ଏପରି କରିନାହିଁ ବୋଲି କହିଛନ୍ତି ମମତା କୁଲକର୍ଣ୍ଣି ।
ସୋସିଆଲ ମିଡିଆରେ କିଛି ଦିନ ଧରି ଚାଲିଥିବା ବିବାଦ ପରେ ମମତା କୁଲକର୍ଣ୍ଣୀ ଏହି ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ କିନ୍ନର ଆଖଡାରୁ ବହିଷ୍କାର କରାଯାଇଥିଲା। ତାଙ୍କ ସହିତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଥିଲା। ଏହି ପଦକ୍ଷେପ କିନ୍ନର ଆଖଡ଼ାର ପ୍ରତିଷ୍ଠାତା ଅଜୟ ଦାସ ନେଇଥିଲେ। ମହାମଣ୍ଡଳେଶ୍ୱର ପଦବୀରୁ ହଟିବା ଉପରେ ଲକ୍ଷ୍ମୀନାରାୟଣ ତ୍ରିପାଠୀ କହିଛନ୍ତି ଯେ, ମୋତେ ଆଖାଡ଼ାରୁ ବାହାର କରିବା ପାଇଁ ଅଜୟ ଦାସ କିଏ, ତାଙ୍କୁ ୨୦୧୭ରେ ହିଁ ଆଖାଡ଼ାରୁ ବାହାର କରାଯାଇଥିଲା।
କହିରଖୁଛୁ ଯେ, ଦିନେ ବଲିଉଡରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ଦିବାନା କରୁଥିବା ଅଭିନେତ୍ରୀ ମମତା କୁଲକର୍ଣ୍ଣି ନିକଟରେ ସଂସାରର ମୋହ ମାୟା ତ୍ୟାଗ କରି ସନ୍ନ୍ୟାସିନୀ ହୋଇଯାଇଥିଲେ। ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା । ତାଙ୍କର ନୂଆ ନାଁ ଥିଲା ୟମାଇ ମମତା ନନ୍ଦଗିରି। ପ୍ରୟାଗରାଜର ମହାକୁମ୍ଭ ମେଳାରେ ସେ ବିଧିବଦ୍ଧ ଭାବେ ସନ୍ନ୍ୟାସିନୀ ଧର୍ମ ଗ୍ରହଣ କରିଥିଲେ। ୨୦୧୩ ମସିହାରେ ମମତା କୁଲକର୍ଣ୍ଣି ବଲିଉଡ ଇଣ୍ଡଷ୍ଟ୍ରି ଛାଡ଼ି ଡ୍ରଗ ମାଫିଆ ଭିକ୍କି ଗୋସ୍ୱାମୀଙ୍କୁ ଦୁବାଇରେ ବିବାହ କରିଥିଲେ। ଭିକ୍କି ଗୋସ୍ୱାମୀଙ୍କୁ ଦୁବାଇରେ ଡ୍ରଗ୍ସ କାରବାର ପାଇଁ ୧୨ ବର୍ଷ ଜେଲ ହୋଇଥିଲା। ଏସବୁ ଅଭିଯୋଗକୁ ମିଛ ବୋଲି କହିଥିଲେ ମମତା। ତେବେ ୨୦୧୬ ମସିହାରେ ମୁମ୍ବାଇ ପୋଲିସ ମମତାଙ୍କ ବିରୋଧରେ ବି ଡ୍ରଗ୍ସ ଚୋରା କାରବାର ଅଭିଯୋଗରେ ୱାରେଣ୍ଟ ଜାରି କରିଥିଲା।
ପୋଲିସର କହିବା ଅନୁଯାୟୀ ସେତେବେଳେ ମୁମ୍ବାଇରୁ ୮୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା। ଏହି ଡ୍ରଗ୍ସ ସହ ଯେଉଁ କମ୍ପାନିର ସମ୍ପର୍କ ଥିଲା ତା’ର ଡାଇରେକ୍ଟର ଥିଲେ ମମତା କୁଲକର୍ଣ୍ଣି। ଏହା ବ୍ୟତୀତ ତାଙ୍କର ଅଣ୍ଡରୱାର୍ଲଡ ସହ ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା ।୧୯୯୩ ମସିହାରେ ମମତା କୁଲକର୍ଣ୍ଣି ଏକ ମାଗାଜିନ ପାଇଁ ଟପଲେସ ଫଟୋ ସୁଟ କରିଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରକ୍ରିକା ଦେଖିବାକୁ ମିଳିଥିଲା। ମମତାଙ୍କ ଅତୀତର ଏହିସବୁ କାହାଣୀ ଜାଣିବା ପରେ ସମସ୍ତେ ତାଙ୍କର ମହାମଣ୍ଡଳେଶ୍ୱର ଉପାଧିକୁ ନେଇ ପ୍ରଶ୍ନ କରିଥିଲେ।
୧୯୯୨ ମସିହାରେ ଫିଲ୍ମ ‘ତ୍ରିରଙ୍ଗା’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ମମତା ତାଙ୍କ ସମୟରେ ଅନୁନ୍ୟ ୪୦ଟି ଫିଲ୍ମରେ କାମ କରିଛନ୍ତି। ୨୦୦୧ ମସିହାରେ ଆସିଥିବା ଫିଲ୍ମ ‘ଛୁପା ରୁସ୍ତମ’ ତାଙ୍କ କ୍ୟାରିୟରର ଶେଷ ଫିଲ୍ମ ଥିଲା । ୨୦୦୨ ମସିହାରେ ସେ ଏଣ୍ଟରଟୈନମେଣ୍ଟ ଇଣ୍ଡଷ୍ଟ୍ରି ଛାଡି କେନ୍ୟା ଚାଲିଯାଇଥିଲେ ।