 
        ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆସିବା ବନ୍ଦ ହୋଇଯିବାରୁ ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଛି ।ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯାହାଫଳରେ ଓଡ଼ିଶାକୁ ଆଳୁ ବୋଝେଇ ଟ୍ରକ ଆସିପାରୁ ନାହିଁ। ଆଳୁ ପ୍ରସଙ୍ଗରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେ କହିଛନ୍ତି, ଆମେ ମାଗି ଖିଆ ନୁହେଁ।ଶ୍ରୀ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗକୁ ଓଡ଼ିଶା ଆଳୁ ଆଉ ମାଗିବନି। ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ। ଆମେ ମାଗି ଖିଆ ନୁହେଁ। ପଶ୍ଚିମବଙ୍ଗରେ ହିଁ କେବଳ ଆଳୁ ନାହିଁ। ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଛି। ଲୋକଙ୍କ ଚାହିଦା ମୁତାବକ ଏବେ ବଜାରରେ ଆଳୁ ଉପଲବ୍ଧ ଅଛି। ଆଜି ମୁଁ ୩୦ଟଙ୍କାରେ ଆଳୁ କିଣିଛି। ଯଦି କେହି ଚଢା ଦରରେ ଆଳୁ ବିକ୍ରି କରିବ ତେବେ ଚଢ଼ାଉ କରାଯିବ ବୋଲି ସ୍ପଷ୍ଟ କହିଛନ୍ତି ମନ୍ତ୍ରୀ।
ସେ ଆହୁରି କହିଛନ୍ତି, ମୋତେ ଲାଗୁଛି ଆଳୁ ନଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କରିଥିବେ। ଏବେ ଆମେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢାଇବା ପାଇଁ ଯୋଜନା କରୁଛୁ। ୨୪ବର୍ଷରେ ବିଜେଡି କିଛି କଲା ନାହିଁ। ବାହାରୁ ଜଣେ ଅଫିସର ଆସିକି ଓଡ଼ିଶାରେ ରାଜୁତି କଲେ। ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି। ଆମେ ଚାହିଁଲେ ୨ମିନିଟରେ ସବୁ ବନ୍ଦ ହୋଇଯିବ। ହେଲେ ଆମେ ସେଭଳି କରିବୁ ନାହିଁ। କାରଣ ସବୁ ରାଜ୍ୟ ମିଶିକି ଚଳିବା ଦରକାର ବୋଲି ଶ୍ରୀ ପାତ୍ର କହିଛନ୍ତି।
 
         
         
         
         
         
        