Site icon UTKAL PRATIDIN

ଏଣିକି ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ଜନ୍ମ ହେଲେ ୧୨ ହଜାର

Mamata-Yojana-and-PMMVY

ଭୁବନେଶ୍ଵର: ଗର୍ଭବତୀଙ୍କ ପାଇଁ ଖୁସି ଖବର । ଓଡିଶାରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ଉଭୟ ରାଜ୍ୟ ଓ କେନ୍ଦ୍ରର ଯୋଜନା । ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଅଧୀନରେ ପୁଅ ଜନ୍ମ ହେଲେ ଏଣିକି ୧୦ ହଜାର ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ସେହିପରି କନ୍ୟା ସନ୍ତାନ ଜନ୍ମ ହେଲେ ୨ ହଜାର ଅଧିକ ଅର୍ଥାତ୍ ୧୨ ହଜାର ଟଙ୍କା ମିଳିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯିବ । ଗର୍ଭବତୀ, ପ୍ରସୂତି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ ।

ସେହିପରି ଏଥିରେ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଏହି ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ । ଏହାଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବାର ସମ୍ଭାବନା ରହିଛି ।

Exit mobile version