Site icon UTKAL PRATIDIN

ଓସ୍କାର ଦୌଡ଼ରେ ସାମିଲ ହେଲା ମାଲାୟଲୀ ଫିଲ୍ମ ‘୨୦୧୮’

2018-1684212660

ଚଳିତ ବର୍ଷର ଓସ୍କାର ଫିଚର ଫିଲ୍ମ ବିଭାଗ ପୁରସ୍କାର ପାଇଁ ମାଲାୟଲୀ ଚଳଚ୍ଚିତ୍ର ‘୨୦୧୮’କୁ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ପଠାଯାଇଛି। ‘ଏଭ୍ରିୱାନ୍‌ ଇଜ୍‌ ଏ ହିରୋ’ ଉପ-ଶୀର୍ଷକ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଜେ. ଏ. ଜୋସେଫ୍‌ ଦେଇଥିବା ବେ​ଳେ ଏଥିରେ ଟି. ଥୋମାସ, କେ. ବୋବାନ, ଆସିଫ ଅଲି, ଭି. ଶ୍ରୀନିବାସନ୍‌, ନାରାୟଣ ଓ ଲାଲ୍‌ଙ୍କ ପରି କଳାକାର ଅଭିନୟ କରିଛନ୍ତି। ଗତ ମେ’ ମାସରେ ମୁକ୍ତିଲାଭ କରିଥିବା ଏହି ଦକ୍ଷିଣ ଭାରତୀୟ ସିନେମାଟି ଉଭୟ ବକ୍ସ ଅଫିସ ଓ ସମୀକ୍ଷକଙ୍କ ଗହଣରେ ହିଟ୍‌ ସାବ୍ୟସ୍ତ ହୋଇସାରିଛି। ଏହା ମାଲାୟଲୀ ସିନେମା ଭାବରେ ସର୍ବକାଳୀନ ଶ୍ରେଷ୍ଠ ବ୍ୟାବସାୟିକ ସଫଳତା ହାସଲ କରିଛି।

ଓସ୍କାର ମନୋନୟନ ପାଇଁ ‘୨୦୧୮’ ସମେତ ହିନ୍ଦୀ ଫିଲ୍ମ ‘ଦି କେରଳ ଷ୍ଟୋରି’, ‘ରକି ଔର ରାନୀ କି ପ୍ରେମ କାହାନୀ’, ‘ମିସେସ ଚାଟର୍ଜି ଭର୍ସେସ ନରୱେ’, ତେଲୁଗୁ ଫିଲ୍ମ ‘ବଲଗମ୍‌’, ମରାଠୀ ଫିଲ୍ମ ‘ଭାଲଭି ଆଣ୍ଡ୍‌ ବାପଲ୍ୟୋକ’ ଏବଂ ତାମିଲ ଫିଲ୍ମ ‘ଅଗଷ୍ଟ ୧୬, ୧୯୪୭’ ଆଦି ୨୨ଟି ସିନେମାକୁ ବିଚାରକୁ ନିଆଯାଇଥିଲା। ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଭିତ୍ତି କରି ନିର୍ମିତ ‘୨୦୧୮’କୁ ମନୋନୟନ କରାଯାଇଛି ବୋଲି ୧୬ ଜଣିଆ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ତଥା ଚିତ୍ରନିର୍ମାତା ଗିରୀଶ କସାରାଭାଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୨ର ଆମିର ଖାଁଙ୍କ ‘ଲଗାନ’ ପରଠାରୁ ଆଉ କୌଣସି ଭାରତୀୟ ଫିଚର ଫିଲ୍ମ ଏଯାଏ ଓସ୍କାରର ଶ୍ରେଷ୍ଠ ଆନ୍ତର୍ଜାତିକ ଫିଚର ଫିଲ୍ମ ବିଭାଗର ମନୋନୟନ ତାଲିକାରେ ସାମିଲ ହୋଇନାହିଁ। ତେବେ ତାହା ପୂର୍ବରୁ ନର୍ଗିସ ଦତ୍ତ ଅଭିନୀତ ‘ମଦର ଇଣ୍ଡିଆ’ ଓ ମୀରା ନାୟରଙ୍କ ‘ସଲାମ ବମ୍ବେ’ ଚୂଡ଼ାନ୍ତ ପାଞ୍ଚ ଚଳଚ୍ଚିତ୍ର ତାଲିକାରେ ରହିବାର ସୌଭାଗ୍ୟ ଲାଭ କରିଥିଲେ।

Exit mobile version