
ପ୍ରୟାଗରାଜ: ଦୀର୍ଘ ୧୪୪ ବର୍ଷ ପରେ ଏଥର ପଡିଛି ଦୁର୍ଲଭ ମହାକୁମ୍ଭ । ଦୁର୍ଲଭ ଯୋଗ ଥିବାରୁ କୋଟି କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି । ଉତ୍ତରପ୍ରଦେଶ ସହ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ, ସାଧୁ ଓ ସନ୍ଥଙ୍କ ଭିଡ଼ ଜମିଛି ପ୍ରୟାଗରାଜରେ । କେବଳ ଦେଶ ନୁହେଁ ବରଂ ବିଦେଶରୁ ବି ଶ୍ରଦ୍ଧାଳୁମାନେ ଆସି ସଙ୍ଗମରେ ବୁଡ଼ ପକାଉଛନ୍ତି । କୁହାଯାଉଛି ଯେ, ଏଯାବତ୍ ପ୍ରାୟ ୪୩ କୋଟି ଶ୍ରଦ୍ଧାଳୁ କୁମ୍ଭ ମେଳାରେ ବିଶ୍ବାସର ବୁଡ଼ ପକାଇ ସାରିଲେଣି ।
ମହାକୁମ୍ଭ ପାଇଁ ଆହୁରି ୧୬ ଦିନ ବାକି ଅଛି। ଏହା ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ପ୍ରୟାଗରାଜ ଅଭିମୁଖେ ଯାଉଥିବା ରାସ୍ତାରେ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ ଜାମ୍ ଯୋଗୁଁ ମହାକୁମ୍ଭ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁ ଜାତୀୟ ରାଜପଥରେ ଫସି ରହିଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ଯୋଗୁଁ ଯାନବାହାନ ଆଗକୁ ଯାଇପାରୁନାହିଁ। ସରକାରଙ୍କ ଅନୁଯାୟୀ, ଗତ ୨୭ ଦିନରେ ୪୩ କୋଟି ଲୋକ ପବିତ୍ର ବୁଡ଼ ପକାଇଛନ୍ତି। ସପ୍ତାହାନ୍ତରେ ପ୍ରୟାଗରାଜରେ ଟ୍ରାଫିକ୍ ଜାମ୍ ଯୋଗୁଁ ଏକ ଖରାପ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ମଧ୍ୟ ପରିସ୍ଥିତି ଖରାପ ଅଛି। ପ୍ରୟାଗରାଜକୁ ଯାଉଥିବା ପ୍ରତ୍ୟେକ ରାସ୍ତାରେ ଯାନବାହାନର ଲମ୍ବା ଧାଡ଼ି ଲାଗିଛି। ଲକ୍ଷ ଲକ୍ଷ ଲୋକ ଜାମରେ ଫସି ରହିଛନ୍ତି। ଏହି ଜାମ୍ ୨ କିମ୍ବା ୪ ଘଣ୍ଟା ପାଇଁ ନୁହେଁ ବରଂ ୭୦ ଘଣ୍ଟାରୁ ଅଧିକ ସମୟ ଧରି ରହିଛି।
ଦିନକ ପରେ ରହିଛି ମାଘ ପୂର୍ଣ୍ଣିମା। ଏହି ଅବସରରେ ତ୍ରିବେଶୀ ସଙ୍ଗମରେ ମହାସ୍ନାନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି। ଟ୍ରାଫିକ ଜାମ କାରଣରୁ ତ୍ରିବେଣୀ ସଂଗମରେ ପହଞ୍ଚି ପାରୁନାହାନ୍ତି ଭକ୍ତ। ରାସ୍ତାରେ ପଛକୁ ପଛ ଗାଡ଼ି ଲାଗିରହିଛି। ଅନ୍ୟପଟେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜର ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏହାସହ ପ୍ରୟାଗରାଜର ଆଖପାଖ ଜିଲ୍ଲା ବାରଣାସୀ, କାନପୁର, ଫତେପୁର, କଟନି, ସତନା ଏବଂ ରେୱାର ଷ୍ଟେସନଗୁଡ଼ିକ ମଧ୍ୟ ଯାତ୍ରୀଙ୍କ ଗହଳିରେ ପୂର୍ଣ୍ଣ। ଷ୍ଟେସନରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ମିଳୁନାହିଁ। ଯେଉଁମାନେ ମହାକୁମ୍ଭକୁ ଟ୍ରେନରେ ଯାତ୍ରା କରିୁଛନ୍ତି ସେମାନଙ୍କୁ ଟ୍ରେନର ଯାତ୍ରୀ ବଗିରେ ସିଟ୍ ମିଳୁନି। ସେମାନେ ବାଧ୍ୟ ଲଗେଜ୍ ବଗିରେ ଯାତ୍ରା କରୁଛନ୍ତି । ଯାହାଦ୍ୱାରା ରେଳ ଅଧିକାରୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।