ଭୁବନେଶ୍ଵର: ମାଛ ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ଝୋଳ କଥା ଶୁଣିଲେ ଆପଣଙ୍କୁ ଭୋକ ନିଶ୍ଚିନ୍ତ ଲାଗୁଥିବ । ବେସର ବଟାରେ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବାରେ ମାଛ ମିଶାଇ କରାଯାଇଥିବା ଏକ ତରକାରୀ । ମାଛ ବେସର ଓ ଅନ୍ୟାନ୍ୟ କେତେ ବେସରରେ ଆମ୍ବୁଲ ମଧ୍ୟ ପଡ଼ିଥାଏ । ମାଛ ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ତରକାରୀ ଭାବେ ଖିଆଯାଇଥାଏ । ତେବେ ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ମାଛ ବେସର।
ଆବଶ୍ୟକୀୟ ସାମଗ୍ରୀ
କୌଣସି ଏକପ୍ରକାର ମାଛ (ରୋହି, ଭାକୁର, ଇଲିସି), ଅଧ ଚାମଚ ହଳଦି, ୩/୪ ଚାମଚ ଲୁଣ, ୩ ଚାମଚ ସୋରିଷ, ୩ଟି କଞ୍ଚା ଲଙ୍କା, ୨ଟି ଶୁଖିଲା ଲଙ୍କା, ୨ଟି ରସୁଣ, ୬ ଚାମଚ ସୋରିଷ ତେଲ ।
ପ୍ରଣାଳୀ
ମାଛକୁ ଭଲ ଭାବରେ କାତି ଛଡ଼ାଇ ଧୋଇ ଦିଅନ୍ତୁ। ଏହାପରେ ମାଛରେ ଅଧ ଚାମଚ ଲୁଣ, ଅଧ ଚାମଚ ହଳଦି ଓ ଲେମ୍ବୁ ଟୋପାଏ ଚିପୁଡ଼ି ମିଶାଇକି ଛାଡ଼ି ଦିଅନ୍ତୁ। ଗୋଟେ ଗ୍ରାଇଣ୍ଡରରେ ୩ ଚାମଚ ସୋରିଷ ତେଲ, ୧/୪ ଚାମଚ ହଳଦି, ୨ଟି ଶୁଖିଲା ଲଙ୍କା, ଅଧ ଚାମଚ ଜିରା ପକାଇ ଓ ୩ ଚାମଚ ପାଣି ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଯେପରି ସୋରିଷ ବଟାଟି ଭଲକି ପେଷ୍ଟ ହୋଇଯାଇଥିବ (କୌଣସି ଖଦଡ଼ା ଅଂଶ ଯେପରି ନ ରହେ)। ଗୋଟେ କଡ଼େଇ ବା ପ୍ୟାନ୍ ଗ୍ୟାସ୍ରେ ରଖନ୍ତୁ। ପାତ୍ରଟି ଗରମ ହୋଇଗଲେ, ସେଥିରେ ୩ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେଲେ ହିଁ ମାଛକୁ ଭାଜିବା ପାଇଁ ପକାନ୍ତୁ। ମାଛକୁ ଏପଟ ସେପଟ କରି ଭାଜନ୍ତୁ। ମାଛ ଭାଜିଲା ବେଳେ ଜାଳ ଅଧିକ ଦେବେ। ମାଛ ହାଲକା ବାଦାମୀ ରଙ୍ଗର ହୋଇଗଲେ , ତାକୁ ଗୋଟେ ପ୍ଲେଟ୍ରେ କାଢ଼ି ଦିଅନ୍ତୁ। ଗୋଟେ କଡ଼େଇରେ ୩ ଚାମଚ ତେଲ ପକାନ୍ତୁ। ତେଲରେ ୨ଟି କଞ୍ଚା ଲଙ୍କା ଓ ଶୁଖିଲା ଲଙ୍କା ପକାଇବେ। ପରେ ଫାଳେ ପିଆଜ କାଟି ପକାନ୍ତୁ। ପିଆଜ ହାଲକା ବାଦାମୀ ରଙ୍ଗ ହୋଇଗଲେ, ସେଥିରେ ଗ୍ରାଇଣ୍ଡିଂ କରିଥିବା ସୋରିଷ ପେଷ୍ଟକୁ ପକାନ୍ତୁ। ଆପଣ ଚାହିଁଲେ ଫାଳେ ଟମାଟ କାଟିକି ପକାଇ ପାରିବେ। ଏବେ ସେହି ପେଷ୍ଟରେ ୩ କପ୍ ପାଣି ପକାନ୍ତୁ। ଆପଣଙ୍କ ମୁତାବକ ବହଳିଆ ବା ପତଳା ଝୋଳ କରିପାରିବେ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦି ପକାନ୍ତୁ। ଭଲସେ ଫୁଟିଗଲେ ସେଥିରେ ଭଜା ଯାଇଥିବା ମାଛକୁ ପକାନ୍ତୁ। ଶେଷରେ ଭାତ ସହ ପରଷନ୍ତୁ।