
ଭୁବନେଶ୍ଵର: ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦୁଇ ବର୍ଷରେ ଥରେ ହେଉଥିବା ଏହି ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଗତ ଗୁରୁବାର ରାତିରେ ବାପାଙ୍କ ଘରକୁ ଆସିଛନ୍ତି ମା’ । ଦେଶୀ ବେହେରା ସାହିରେ ଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମାଆ । ଅସ୍ଥାୟୀ ମଣ୍ଡପରେ ସ୍ବତନ୍ତ୍ର ବିଧିରେ ଚାଲିଛି ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା । ଶଙ୍ଖ, ଚାଙ୍ଗୁ, ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର ।
ଗତକାଲି ରାତିରେ ଚଣ୍ଡିପାଠ, ଦିଗବନ୍ଦନ, ଆଳତି, ମନ୍ତ୍ରଣା ପରେ ହୋଇଥିଲା ଆଜ୍ଞାମାଳ ବିଜେ । ଅସ୍ଥାୟୀ ପୀଠରେ ମା’ଙ୍କ ଆଜ୍ଞାମାଳ ସ୍ଥାପନ ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମାଆଙ୍କ ବାପଘର ଦେଶିବେହେରାଙ୍କ ସାହିରେ ରୀତିନୀତି ଅନୁଯାଇ ପରମ୍ପରା ପାଳନ କରାଯାଉଛି । ପଟୁଆରରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ । ଦେଶିବେହେରାଙ୍କ ହସ୍ତରେ ଆଜ୍ଞାମାଳ ପଡ଼ିବା ପରେ ମାଆ ବାପଘରକୁ ଯିବା ପାଇଁ ଅନୁମତି ଦେଲେ ବୋଲି ନିଶ୍ଚୟ କରାଯାଇଥିଲା ।
ଗତକାଲି ମଧ୍ୟରାତ୍ରରେ ମା’ଙ୍କ ବାପା ତଥା ଯାତ୍ରାର ପରିଚାଳକଙ୍କ ସମେତ ଶତାଧିକ ସହରବାସୀ ବିରାଟ ପଟୁଆରରେ ମା’ଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ପରେ ମାଁଙ୍କ ମସ୍ତକରୁ ଆଜ୍ଞାମାଳ ଚାଙ୍ଗୁଡ଼ିରେ ପଡ଼ିଥିଲା । ଏହାପରେ ମା’ଙ୍କ ଆଜ୍ଞାମାଳ ଥିବା ଚାଙ୍ଗୁଡ଼ିକୁ ଆଣି ଅସ୍ଥାୟୀ ପୀଠରେ ସ୍ଥାପନ କରାଯିବା ପରେ ଆରମ୍ଭ ହୋଇଥିଲା ମାଁଙ୍କ ଯାତ୍ରା। ଶୁକ୍ରବାର ବଡ଼ି ଭୋରୁ ଦେଶୀ ବେହେରା ସ୍ଥିତ ଅସ୍ଥାୟୀ ମଣ୍ଡପରେ ବିରାଜମାନ କରିଛନ୍ତି ମା’। ଏବେ ବାପ ଘରେ ୨୬ ଦିନ ରହି ପାଇବେ ପୂଜାର୍ଚ୍ଚନା । ଏହି ସମୟରେ ବ୍ରହ୍ମପୁର ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ନେଇ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।