Site icon UTKAL PRATIDIN

ଆରବ ସାଗର ପରେ ବଙ୍ଗୋପସାଗରରେ ହେବ ଲଘୁଚାପ, ବଢିଲା ବାତ୍ୟା ଭୟ

WhatsApp Image 2025-05-23 at 12.24.28 PM

ଭୁବନେଶ୍ଵର: ଆସୁଛି ବଡ ଲଘୁଚାପ। ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୭ ଓ ୨୮ ଦୁଇଦିନ ରାଜ୍ୟରେ ଅଧିକ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ରାୟଗଡା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ, ସଅଳ ମୌସୁମୀ ପାଇଁ ଏହି ଲଘୁଚାପ ସହାୟକ ହେବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ । ଏପରିକି ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର କହିବା ଅନୁସାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଲଘୁଚାପ । ୨ ଦିନ ପରେ ଘନୀଭୂତ ହେବାର ସମ୍ଭାବନା ରହିଛି । କେତେ ଅବପାତ ତୀବ୍ର ହେବ କି ନାହିଁ ଏବଂ କେଉଁ ଉପକୂଳ ଛୁଇଁବ ସେ ନେଇ କିଛି ସ୍ପଷ୍ଟ ହୋଇନି । ତେବେ କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ, ଲଘୁଚାପର ଗତିବିଧି ଏବଂ ଉପକୂଳ ଛୁଇଁବା ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର କହିବା ଅନୁସାରେ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବାର ୨ ଦିନ ଭିତରେ ଏହା ଅଧିକ ଘନୀଭୂତ ହେବ। ରାଜ୍ୟରେ ଆଜି ଗୋଟିଏ ଦିନ ଖରା ହେବ, କାଲିଠୁ ବଦଳିବ ପାଗ। ଆଜି ଅପରାହ୍ନ ପରେ କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା।

ଆଜି ପଶ୍ଚିମ ଓଡ଼ିଶାକୁ ବାଦ୍ ଦେଲେ ସାରା ରାଜ୍ୟକୁ ଝଡ଼ ପବନ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର କଟକ, ଅନୁଗୁଳ, ଢେଙ୍କାନାଳ , ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୯ ତାରିଖ ବେଳକୁ ସେହି ସିଷ୍ଟମ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ସେତେବେଳେ ତାହା କେତେ ଘନୀଭୂତ ହୋଇଥିବ ଏବଂ ଅବପାତ କି ସାମୁଦ୍ରିକ ଝଡ଼ର ରୂପ ନେଇଥିବ, ସେ ସଂପର୍କରେ ଏହି ମଡେଲ କୌଣସି ତଥ୍ୟ ସ୍ପଷ୍ଟ କରିନାହିଁ । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ କେବଳ ଅବପାତ ଯାଏଁ ଆକଳନ କରିପାରିଛି । ସେହିପରି IMD ସ୍ପଷ୍ଟ କରିଛି ଯେ ଆସନ୍ତା ୩ ଦିନ ମଧ୍ୟରେ ମୌସୁମି ବାୟୁ କେରଳରେ ପ୍ରବେଶ କରିବ।

Exit mobile version