ଭୁବନେଶ୍ଵର: ଆରବ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଯାହା କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୩୬ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେବା ନେଇ ସୂଚନା ଦେଇଛି, ଭାରତୀୟ ପାଣିପାଗ ବିଭାଗ । ବୁଧବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଉଭୟ କଟକ ଓ ଭୁବନେଶ୍ୱରର ପାଗ ସକାଳୁ କୋହଳା ରହିଛି ।
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ। ପରେ ଏହା ୩୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପୂର୍ବ କେନ୍ଦ୍ରୀୟ ଆରବ ସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେଇଥିବା ଜଣାଯାଇଛି। ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।
ସେପଟେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ପଶ୍ଚିମ ଉପକୂଳ ଗୁଜରାଟ, କୋଙ୍କଣ ଏବଂ ଗୋଆ, କର୍ଣ୍ଣାଟକ ଏବଂ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।ସମୁଦ୍ର ପୃଷ୍ଠର ତାପମାତ୍ରା ଏବଂ ଅନ୍ୟାନ୍ୟ ପରିସ୍ଥିତି ଏହି ପ୍ରଣାଳୀକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ସ୍କାଇମେଟ୍ ୱେଦରର ଏକ ରିପୋର୍ଟ ଅନୁଯାୟୀ, ଏହି ଋତୁରେ ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ଉଷ୍ଣକଟିବନ୍ଧୀୟ ପ୍ରଣାଳୀ ସାଧାରଣତଃ ସ୍ପଷ୍ଟ ନୁହେଁ। ପାଣିପାଗ ବିଜ୍ଞାନୀ ଓ ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ଗୁଡ଼ିକର ଆକଳନ ଅନୁଯାୟୀ ଆସନ୍ତା ୨୬ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। କିନ୍ତୁ ବଡ଼କଥା ହେଉଛି, ଏହି ସମୟରେ ପୂର୍ବ ବଙ୍ଗୋପ ସାଗରରେ ପରିବେଶ ଅନୁକୂଳ ରହିଛି, ଯାହା ଲଘୁଚାପକୁ ଆଗକୁ ବଢ଼ିବାରେ ସହାୟକ ହେବ । ଅର୍ଥାତ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।
ମୌସୁମୀ ଆସିବା ସମୟରେ ଲଘୁଚାପ ସୃଷ୍ଟି ହେବା ଏକ ସ୍ଵାଭାବିକ ପ୍ରକ୍ରିୟା। ତେବେ ଏହା ଆଗକୁ କେତେ ଶକ୍ତିଶାଳୀ ହେବ କିମ୍ବା ଘନୀଭୂତ ହେବ ତାହା ଆକଳନ କରିବା ସହଜ ନୁହେଁ। ଅନେକ ସମୟରେ ଏଭଳି ଲଘୁଚାପ ମୌସୁମୀକୁ ଅଧିକ ସକ୍ରିୟ କରି ଆଗକୁ ଅଗ୍ରସର କରିବାରେ ସହାୟକ ହୁଏ । ଯାହା ରାଜ୍ୟକୁ ଭଲ ବର୍ଷା ଆଣିପାରେ। ପାଣିପାଗକୁ ନେଇ ଆକଳନ ବୈଜ୍ଞାନିକଙ୍କ ପାଇଁ ମଧ୍ୟ ଅନେକ ସମୟରେ ଆହ୍ବାନ ସୃଷ୍ଟି କରିଥାଏ । କିଛି ମଡେଲ ଆକଳନ କରୁଛନ୍ତି ଯେ ଆସନ୍ତା ୨୬ରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହେବ ଏବଂ ୨୮ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ, ତେବେ ଏହା ପ୍ରଥମେ ଉତ୍ତର-ପୂର୍ବ ଓ ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ଯଦି ଏହି ଗତିପଥ ଠିକ ହୁଏ, ତେବେ ମେ ୨୯ ତାରିଖରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।