Site icon UTKAL PRATIDIN

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ, ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

WhatsApp Image 2025-05-29 at 11.07.33 AM

ଭୁବନେଶ୍ଵର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅପରାହ୍ନରେ  ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ।  ସକ୍ରିୟ ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ  ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ । ଏହାରି ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଅବପାତର ରୂପ ନେଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତରେ ପରିଣତ ହୋଇଥିବା ସୂଚନା ମିଳିଛି । ପାରାଦ୍ବୀପଠାରୁ ୧୯୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ଅବପାତ ଉତ୍ତର ଆଡକୁ ଗତି କରି ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି IMD ପକ୍ଷରୁ କୁହାଯାଇଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ପାଗ କୋହଲା ରହିଥିବା ବେଳେ କିଛି ଜିଲ୍ଲାରେ ବର୍ଷା ହୋଇଛି ।

ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରିହୋଇଛି । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଚେତାବନୀ ଜାରିକରିଛି ପାଣିପାଗ ବିଭାଗ । ତେବେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସକ୍ରିୟ ରହିଛି । ଆଜି ଏହା ଅବପାତରେ ପରିଣତ ହୋଇ ଉତ୍ତର ଆଡ଼କୁ ଗତି କରିବ । ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଓଡ଼ିଶାରେ ମୌସୁମୀ ବାୟୁ । ମୌସୁମୀ  ସ୍ପର୍ଶରେ ଗଛଲତା, ଜୀବଜନ୍ତୁ ହସି ଉଠିଛନ୍ତି । ଚାଷୀ ମୁହଁରେ ଆଶା ଓ ସମ୍ଭାବନାର ସ୍ମିତହାସ୍ୟ  ଖେଳି ଉଠିଛି । ବୁଧବାର ସମ୍ପୂର୍ଣ୍ଣ ମାଲକାନଗିରି  ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି ।  ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ  ଗଜପତି ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତବର୍ଷ ଜୁନ୍‌ ୭ ତାରିଖରେ ମୌସୁମୀ  ଓଡ଼ିଶାରେ ପହଞ୍ଚିଥିଲା । ଏଥର ଜୁନ୍‌ ମାସ ଆରମ୍ଭ ହେବା ଆଗରୁ, ବେଶ୍‌ ଆଗୁଆ ରାଜ୍ୟକୁ ଆସିଛି ।  ଏଥର ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ  ବି କରିଛି ।

Exit mobile version