
ଭୁବନେଶ୍ଵର: ରାଜ୍ୟରେ ଲଘୁଚାପ ଭୟ। ଏବେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ଥିବା ବେଳେ, ମେ ଶେଷ ସପ୍ତାହ ବେଳକୁ ଏକା ସାଙ୍ଗରେ ୨ଟି ଲଘୁଚାପ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଓ ଆରବସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏକା ସାଙ୍ଗରେ ଆସୁଛି ଦୁଇ ଦୁଇଟି ଲଘୁଚାପ ।
ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ମେ’ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ମେ’ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ ।
ଏପଟେ ମେ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।ରାଜ୍ୟରେ ବର୍ତ୍ତମାନ ଗରମ ଗୁଳୁଗୁଳି ଜାରି ରହିଛି । ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, ଗଜପତିରେ ଗରମ ଗୁଳୁଗୁଳିକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ପାଇଁ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କାଳବୈଶାଖି ପ୍ରଭାବରେ ଘଡ଼ଘଡି଼ ସହିତ ଅଧିକ ବର୍ଷା ହୋଇପାରେ। ୫୦ ରୁ ୬୦ କିମି ବେଗରେ ପବନ ବହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମିଳିଛି।
ସେପଟେ ଆଗାମୀ ୨ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧୯ ମଇରେ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଏବଂ କୋମୋରିନ୍ ଅଞ୍ଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ ଅଗ୍ରସର ହୋଇଛି।