
ଝାଡ଼ଖଣ୍ଡର ଖୁଣ୍ଟିରେ ଘଟିଛି ଅଭାବନୀୟ ଘଟଣା ।ପ୍ରେମିକାଙ୍କ ପାଇଁ କଲା ସାଜିଲା ପ୍ରେମିକ। ନିଜ ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।ତାମିଲନାଡ଼ୁରେ ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି ବିବାହ କରିଥିଲା ଅଭିଯୁକ୍ତ। ହେଲେ ଏ ବିଷୟରେ ଜଣାପଡ଼ିଯିବା ଡରରେ ପ୍ରେମିକାକୁ ଜଙ୍ଗଲରେ ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ। ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ ପୁଲିସ ଗିରଫ କରିଛି।
ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଏସପି ଅମନ କୁମାରଙ୍କ କହିବା ଅନୁସାରେ, ଘଟଣାଟି ନଭେମ୍ବର ୮ରେ ଘଟିଥିବାବେଳେ ନଭେମ୍ବର ୨୪ରେ ସାମ୍ନାକୁ ଆସିଥିଲା। ଏକ ବୁଲା କୁକୁର ଗୋଟିଏ ମଣିଷର କଟା ହାତ ପାଟିରେ ଧରି ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ବହୁ ଖୋଜାଖୋଜି ପରେ ସ୍ଥାନୀୟ ଜଙ୍ଗଲରୁ ମୃତକଙ୍କ ଶରୀରର ଅନ୍ୟ କେତେକ ଅଂଶ ପାଇଥିଲା।
ସେଠାରେ ମୃତକଙ୍କ ବ୍ୟାଗ୍ ମଧ୍ୟ ପାଇଥିଲା ପୁଲିସ। ସେଥିରୁ ମିଳିଥିବା ଆଧାର କାର୍ଡ ଅନୁସାରେ ପୀଡ଼ିତାଙ୍କ ପରିଚୟ ପାଇ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ଆସି ପହଞ୍ଚିବା ପରେ ସେମାନଙ୍କ ବୟାନ ଆଧାରରେ ଅଧିକ ତଦନ୍ତ କରି ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ ପୁଲିସ ଗିରଫ କରିଛି।