ଏତେ ଦିନର ସାଜସଜା ଓ ଆପେକ୍ଷା ପରେ ଆଜି ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ । ଦିଲ୍ଲୀର କୋଣ ଅନୁକୋଣକୁ ସଜା ଯାଇଥିବା ବେଳେ ସ୍ଥାନେସ୍ଥାନେ ସମ୍ମିଳନୀକୁ ନେଇ ବଡ଼ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି । ଏସବୁ ମଧ୍ୟରେ ସମ୍ମିଳନୀର ଲୋଗୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତେବେ ଏହି ଲୋଗୋରେ ପ୍ରକୃତରେ ରହିଛି କ’ଣ? ଏହାକୁ କିଏ ତିଆରି କରିଛନ୍ତି? ସେସବୁ ବିଷୟରେ ଚାଲନ୍ତୁ ଜାଣିବା ସବିଶେଷ….
ଜି- ୨୦ ୨୦୨୩ର ଲୋଗୋ କ’ଣ?
ଧ୍ୟାନର ସହ ଦେଖିଲେ ଏହି ଲୋଗୋରେ ପଦ୍ମ ଫୁଲ ଏବଂ ପୃଥିବୀ ନଜର ଆସୁଛି । ଏହାସହ ସମ୍ପୂର୍ଣ୍ଣ ଲୋଗୋକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀତ କରାଯାଇଛି । ଲୋଗୋର ନିମ୍ନ ଭାଗରେ ଦେବନାଗରୀ ଲିପିରେ ‘ଭାରତ’ ଲେଖାଯାଇଛି ।
ଜି- ୨୦ ଲୋଗୋକୁ କିଏ ଡିଜାଇନ କରିଛନ୍ତି?
ଜି- ୨୦ର ଏହି ଲୋଗୋକୁ ଖ୍ୟାତନାମା ବିଶ୍ଵପ୍ରସିଦ୍ଧ ଆନ୍ତର୍ଜାତୀୟ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଡିଜାଇନ୍ କରିଛନ୍ତି । ଖୁବ ସୁନ୍ଦର ଭାବରେ ସେ ଏହି ଲୋଗୋଟିକୁ ଗଢିଛନ୍ତି l
ଜି୨୦ ଲୋଗୋରେ କାହିଁକି ରହିଛି ତ୍ରିରଙ୍ଗାର ରଙ୍ଗ?
ଜି୨୦ ଲୋଗୋରେ ରହିଛି ତ୍ରିରଙ୍ଗାର ରଙ୍ଗ l ଲୋଗୋରେ ତ୍ରିରଙ୍ଗାର ରଙ୍ଗ ରହିବା ପଛର କାରଣଟି ହେଉଛି ଏଥର ସମ୍ମିଳନୀ ଭାରତ ଆୟୋଜିତ କରୁଛି ବୋଲି ଏହା ଏହି ତ୍ରିରଙ୍ଗା ରଙ୍ଗରୁ ସୂଚିତ ହେଉଛି ।
ଲୋଗୋରେ ଥିବା ପଦ୍ମ ଏବଂ ପୃଥିବୀର ଅର୍ଥ କ’ଣ?
ଭାରତ ସରକାରଙ୍କ ଜି-୨୦ ଓ୍ବେବ୍ସାଇଟ୍ ମୁତାବକ, ଜି-୨୦ ଲୋଗୋରେ ଭାରତର ଜାତୀୟ ଫୁଲ ପଦ୍ମକୁ ପୃଥିବୀ ଗ୍ରହ ସହ ପ୍ରସ୍ତୁତ କରାଯାଇଛି । ଏହା ସଂଘର୍ଷ ମଧ୍ୟରେ ବିକାଶକୁ ଦର୍ଶାଉଛି । ଏହାଛଡ଼ା ପୃଥିବୀରେ ଥିବା ଜୀବନ ପ୍ରତି ଭାରତର ପର୍ଯ୍ୟାବରଣ ଅନୁକୂଳ ଦୃଷ୍ଟିକୋଣକୁ ମଧ୍ୟ ଦର୍ଶାଉଛି । ଏହାର ପ୍ରକୃତି ସହ ପୂର୍ଣ୍ଣମାତ୍ରାରେ ସାମଞ୍ଜସ୍ୟ ରହିଛି ବୋଲି ସୂଚିତ କରୁଛି l
ଏଥର ଜି-୨୦ର ଥିମ୍ କ’ଣ?
ଏହି ସମ୍ମିଳନୀର ଥିମ୍ ହେଉଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ ‘ଗୋଟିଏ ପୃଥିବୀ, ଗୋଟିଏ କୁଟୁମ୍ବ, ଗୋଟିଏ ଭବିଷ୍ୟତ’। ଏହାର ପ୍ରେରଣା ପ୍ରାଚୀନ ସସ୍କୃତ ପାଠରୁ ନିଆଯାଇଛି।