ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନଓ୍ବାଲା ବାଗ’ର ଟିଜର ରିଲିଜ୍ ହୋଇଛି। କରଣ ସିଂହ ତ୍ୟାଗୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣାକ୍ରମ ଉପରେ ଆଧାରିତ। ୧ ମିନିଟ୍ ୨୯ ସେକେଣ୍ଡର ଏହି ଟିଜରର ପ୍ରଥମ ୩୦ ସେକେଣ୍ଡର ଭିଡିଓ ଦର୍ଶକଙ୍କ ହୃଦୟ ଥରାଇ ଦେଇଛି। ଭିଡିଓଟି ଯନ୍ତ୍ରଣାଦାୟକ ଚିତ୍କାରରୁ ଆରମ୍ଭ ହୋଇଛି, ଯେଉଁଥିରେ କୌଣସି ଦୃଶ୍ୟ କିମ୍ବା କୌଣସି ଶୀର୍ଷକ ନାହିଁ, କେବଳ ଲୋକମାନଙ୍କର ଚିତ୍କାର ଏବଂ କାନ୍ଦିବାର ଶବ୍ଦ ଶୁଣାଯାଉଛି, ଯାହା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ଦୃଶ୍ୟକୁ ମନେ ପକାଇ ଦର୍ଶକଙ୍କ ହୃଦୟ ଥରାଇ ଦେଉଛି।
ଏହା ପୂର୍ବରୁ ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନଓ୍ବାଲା ବାଗ’ର ପ୍ରୋମୋ ଶେୟାର କରିଥିଲେ ଅକ୍ଷୟ କୁମାର । ପ୍ରୋମୋ ସେୟାର କରି କ୍ୟାପ୍ସନ୍ରେ ଲେଖିଥିଲେ ଅକ୍ଷୟ, ‘କିଛି ଯୁଦ୍ଧ ଅସ୍ତ୍ରଶସ୍ତ୍ରରେ ଜିତି ହୁଏ ନାହିଁ।’ ବର୍ତ୍ତମାନ ଅନୁମାନ କରାଯାଉଛି ହେଉଛି ଯେ ଏହି ସିକ୍ୱେଲରେ ୧୯୧୯ର ନରସଂହାର ପଛରେ ଲୁଚି ରହିଥିବା ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ବାରିଷ୍ଟର ସି ଶଙ୍କରନ ନାୟରଙ୍କ ଲଢାଇକୁ ଦେଖାଇ ଦିଆଯାଇପାରେ।
ଅକ୍ଷୟଙ୍କ ବ୍ୟତୀତ, ‘କେସରୀ ୨’ରେ ଆର. ମାଧବନ୍ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ରହିବେ। ‘କେସରୀ ଚାପ୍ଟର ୨’ ୧୮ ଏପ୍ରିଲ ୨୦୨୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଫିଲ୍ମର ପ୍ରଥମ ଭାଗ ‘କେସରୀ’ ଶୁକ୍ରବାର, ମାର୍ଚ୍ଚ ୨୧ରେ ରିଲିଜ୍ ହେବାର ୨୧ ବର୍ଷ ପୂରଣ କରିଛି।ଏହି ଚଳଚ୍ଚିତ୍ରଟି ବ୍ରିଟିଶ ଭାରତୀୟ ସେନାର ୨୧ ଶିଖ ସୈନିକଙ୍କ ବୀରତ୍ୱର କାହାଣୀ କହିଥିଲା ଯେଉଁମାନେ ୧୮୯୭ ମସିହାରେ ୧୦,୦୦୦ ଆଫଗାନିସ୍ତାନ ଆଦିବାସୀଙ୍କ ବିରୁଦ୍ଧରେ ସାରାଗଡୀକୁ ରକ୍ଷା କରିଥିଲେ।