
ନୂଆଦିଲ୍ଲୀ: ସବୁ ଅପେକ୍ଷାର ଘଟିଲା ଅନ୍ତ । ଖୋଲିଲା କେଦାରନାଥ ଧାମ । ଏକାଠି ହେଲେ ଭକ୍ତ ଓ ଭଗବାନ । ଆକାଶମାର୍ଗରୁ ଶ୍ରଦ୍ଧାଳୁଙ୍କ ଉପରେ ହେଲା ଫୁଲ ବର୍ଷା । ଆଜି ସକାଳୁ ରୀତିନୀତି ଅନୁସାରେ କେଦାରନାଥ ପୀଠର ଦ୍ବାର ଫିଟାଯାଇଛି । ପାରମ୍ପାରିକ ବାଦ୍ୟ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ବାବାଙ୍କ ଧାମ । ଶ୍ରଦ୍ଧାଳୁଙ୍କ ଜୟ କେଦାର, ହର ହର ସମ୍ଭୁ, ବମ ଭୋଲେ ନାରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିରକୁ ୧୦୮ କୁଇଣ୍ଟାଲ ଫୁଲ ସାଜସଜ୍ଜା କରାଯାଇଛି । ଦ୍ବାର ଫିଟା ନୀତି ପାଇଁ ସକାଳ ୫ଟାରୁ ହିଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । କେଦାରନାଥ ପୀଠକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜା ଯାଇଥିଲା ।
ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ ଏବଂ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ। ଦ୍ୱାର ଖୋଲିବା ପ୍ରକ୍ରିୟାରେ ବିଭିନ୍ନ ପାରମ୍ପରିକ ରୀତିନୀତି ସାମିଲ ଅଛି, ଯେଉଁଥିରେ ବାବା କେଦାରଙ୍କ ଶୀତକାଳୀନ ବାସସ୍ଥାନ, ଉଖିମଠର ଓଁକାରେଶ୍ୱର ମନ୍ଦିରରୁ କେଦାରନାଥ ଧାମକୁ ଚଳନ୍ତି ପ୍ରତିମା ଯାତ୍ରା କରିଥାନ୍ତି ।
ଦ୍ୱାର ଖୋଲିବା ମାତ୍ରେ ହଜାର ହଜାର ଭକ୍ତ ବାବା କେଦାରଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚି ଯାଆନ୍ତି । ଏହି ପବିତ୍ର ଅବସର ପାଇଁ ମନ୍ଦିର ଏବଂ ଏହାର ଆଖପାଖ ପରିସରକୁ ମହାନ ଭାବରେ ସଜାଯାଇଛି । ଧାମକୁ ସଜାଇବା ପାଇଁ ପ୍ରାୟ ୧୦୮ କ୍ୱିଣ୍ଟାଲ ଫୁଲ ବ୍ୟବହୃତ ହୋଇଛି । କେଦାରନାଥ ଧାମ ରୁଦ୍ରପ୍ରୟାଗ ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ୧୧,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଅବସ୍ଥିତ ।
ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏବଂ ପୋଲିସ ସହ ସୁରକ୍ଷା ବଳ ଉପସ୍ଥିତ ଥିଲେ । ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିଲା । ସେପଟେ ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲାଯାଇଛି। ସେହିପରି ଆସନ୍ତା ୪ ତାରିଖରେ ବଦ୍ରିନାଥ ଧାମ ଖୋଲିବ ।