Site icon UTKAL PRATIDIN

କମଲନାଥଙ୍କ କମଳ ମୁଖେ ଯାତ୍ରା ଆରମ୍ଭ; ହଟାଇଲେ କଙ୍ଗ୍ର ବ୍ୟାନର

kamal-nath-bccl-2

ମଧ୍ୟପ୍ରଦେଶ ରାଜନୀତି ସରଗରମ । ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏଠାରେ ପହଂଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ପୁଅ ନକୁଲ ନାଥଙ୍କ ସହ ସେ ବିଜେପିରେ ସାମିଲ ହେବେ ।

୧୭ ଫେବୃଆରୀରେ କମଲ ନାଥ ତାଙ୍କର ସବୁ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଶନିବାର ଭୋପାଳ ଆସି ସେଠାରୁ ଦିଲ୍ଲୀ ଯାଇପାରନ୍ତି । ଦିଲ୍ଲୀରେ ପୁଅ ନକୁଲ ନାଥଙ୍କ ସହ କମଲ ନାଥ ପଦ୍ମ ଦଳରେ ସାମିଲ ହୋଇପାରନ୍ତି । କୌଣସି ସମୟରେ କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଇପାରନ୍ତି । ଏହାପୂର୍ବରୁ ନକୁଲ ବାପାଙ୍କ ପ୍ରୋଫାଇଲରୁ କଂଗ୍ରେସକୁ ହଟାଇ ଦେଇଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ସମ୍ପର୍କରେ ଭୋପାଳ ଭାଜପା ମୁଖ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଯେଉଁଥିରେ ରାଜ୍ୟ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି, ଦେଶ ତଥା ସମାଜର ହିତ ପାଇଁ କାମ କରିବାକୁ ଚାହୁଁଥିବା ବ୍ୟକ୍ତି ସ୍ବାଗତଯୋଗ୍ୟ। କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କମଲନାଥ ଭାଜପାରେ ଯୋଗଦେବାକୁ ଚାହାଁନ୍ତି, ତେବେ ତାଙ୍କ ପାଇଁ ଦ୍ୱାର ଖୋଲା ଅଛି। ତେବେ ଏହାରି ମଧ୍ୟରେ କମଲନାଥ କମଳ ଧରିଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା। ନିକଟ ଅତୀତରେ କଂଗ୍ରେସର ବରିଷ୍ଠ ନେତାମାନେ ନିଜ ଦଳରେ ଅସନ୍ତୁଷ୍ଟ ହୋଇ ପଦ୍ମ ଧରିଥିଲେ। ଯେଉଁଥିରେ ଅଶୋକ ଚୌହାନଙ୍କ ନାଁ ମଧ୍ୟ ସାମିଲ ରହିଛି।

Exit mobile version