 
        ଭୁବନେଶ୍ଵର: ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ସକାଳୁ ଜାରି ରହିଛି ଝିପିଝିପି ବର୍ଷା । ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ୧୮ ଜିଲ୍ଲାକୁ ସତର୍କତା ଜରି କରିଛି ପାଣିପାଗ ବିଭାଗ । ତେବେ ଆଜି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଆଜିଠୁ ୪ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ । ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ହେବ । ୧୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ । ସେହିପରି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଓ କାଁଭାଁ ସ୍ଥାନରେ କୁଆ ପଥର ବର୍ଷା ସମ୍ଭାବନା ରହିଛି ।
ସେହିପରି ୨୩ ତାରିଖରେ ୧୫ ଜିଲ୍ଲାକୁ ଏବଂ ୨୪ ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । କାଳବୈଶାଖୀ ବର୍ଷା ପ୍ରଭାବରେ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ମାର୍ଚ୍ଚ ୨୫ରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ । ତେବେ ଗତ ଶୁକ୍ରବାର ଉତ୍ତର ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ରଚିଥିଲା ବେଳେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।
 
         
         
         
         
         
        